ଜୋର ଧରିଲା ‘ଆଫସ୍ପା’ ହଟାଇବା ଦାବି

କୋହିମା: ନାଗାଲାଣ୍ଡରେ ଜୋର ଧରିଲା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ହଟାଇବା ପ୍ରସଙ୍ଗ । ଏନେଇ ନାଗାଲାଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି । ମନ୍ ଜିଲ୍ଲା ଓଟିଂରେ ଭୁଲ୍ ସୂଚନାରୁ ସେନାର ନରସଂହାର ଘଟଣାରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଏହି ଦାବି ଉଠାଇଛନ୍ତି ।

ଗତ ଡିସେମ୍ବର ୪ ତାରିଖରେ ନିରୀହ ଶ୍ରମିକମାନେ ଏକ ମିନିଟ୍ରକରେ ଘରକୁ ଫେରୁଥିବା ବେଳେ, ସେମାନଙ୍କ ଉପରେ ଯବାନମାନେ ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଥିଲା । ଆସନ୍ତା ୨୦ ତାରିଖରେ ଏହି ଅଧିବେଶନ ବସିବ ଏବଂ ରାଜ୍ୟପାଳ ଜଗଦୀଶ ମୁଖି ଖୁବଶୀଘ୍ର ସମନ କରିବେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ ।

୧୯୫୮ର ଏହି କଡା ଆଇନରେ ଉଗ୍ରବାଦ ଦମନ ଲାଗି ସେନାକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନେଇଫୁ ରିଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଛି ଏବଂ ଏଥିରେ କିଛି କ୍ୟାବିନେଟ ମନ୍ତ୍ରୀ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ଅଛନ୍ତି । ସ୍ବତନ୍ତ୍ର ଅଧିବେଶନ ଡାକି ଆଫସ୍ପା ହଟାଇବା ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ନାଗା ଛାତ୍ର ସଂଘ ଓ ବିଭିନ୍ନ ମହିଳା ସଂଗଠନ ଦାବି କରୁଥିଲେ । ସେପଟେ ଆଫସ୍ପା ନେଇ ଏକ ଦ୍ବନ୍ଦ୍ବାତ୍ମକ ମତ ରଖିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସେ କହିଛନ୍ତି, କେତେକ ପରିସ୍ଥିତିରେ କଠୋର ଆଇନର ଆବଶ୍ୟକତା ରହିଛି । ଏକ୍ଷେତ୍ରରେ ସରକାର ଭାରସାମ୍ୟ ରକ୍ଷା କରିବା ଦରକାର । ସେ କହିଛନ୍ତି ନାଗାଲାଣ୍ଡରେ ଯାହା ଘଟିଲା ତାହା ଏକ ଦୁର୍ଘଟଣା ଓ ଏକ ଭୁଲ୍ ଥିଲା । ସମସ୍ତ ଦୁର୍ଘଟଣା ଦୁର୍ଭାଗ୍ୟଜନକ । ମାତ୍ର କଡା ଆଇନର ବି ଆବଶ୍ୟକତା ରହିଛି । ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତାକୁ ଅନୁଭବ କରିବାକୁ ପଡିବ । ସମୟ ଥିଲା ଏହି ଆଇନର ଆବଶ୍ୟକତା ଜରୁରୀ ବୋଲି ଲୋକେ ଉପଲବ୍ଧି କରୁଥିଲେ । ମାତ୍ର କେତେକ ଦୁର୍ଘଟଣା ଓ ମାତ୍ରାଧିକ କାର୍ଯ୍ୟ ପରେ ଏହି ଆଇନକୁ ହଟାଇବା ଲାଗି ଦାବି ଉଠୁଛି । ଉଭୟ ଦିଗରୁ ଏହାକୁ ବିଚାର କରିବାକୁ ହେବ ବୋଲି କହିଛନ୍ତି ଗୋଗୋଇ ।

Leave a Reply