ଆହ୍ଲାବାଦ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଥିବାବେଳେ ଜଷ୍ଟିସ ଯଶଓ୍ବନ୍ତ ବର୍ମା ଦେଇଥିବା ରାୟର ପୁନଃ ସମୀକ୍ଷା ଦାବି

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି  ଜଷ୍ଟିସ ଯଶଓ୍ବନ୍ତ ବର୍ମାଙ୍କ ଅଡୁଆ । ତାଙ୍କ ବିରୋଧରେ ଅଧିକ କ୍ଷୁବ୍ଧ ହୋଇଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ । ଆହ୍ଲାବାଦ ଓ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିବାବେଳେ ଜଷ୍ଟିସ ଯଶଓ୍ବନ୍ତ ଦେଇଥିବା ସମସ୍ତ ରାୟର ପୁନଃ ସମୀକ୍ଷା ଲାଗି ଦାବି କରିଛି ବାର୍ ଆସୋସିଏସନ । ଏହାସହ ଜଷ୍ଟିସ ଯଶଓ୍ବନ୍ତଙ୍କୁ ତୁରନ୍ତ ବହିଷ୍କାର କରିବା ଲାଗି ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ବାର୍ ଆସୋସିଏସନ ସଭାପତି ଅନିଲ ତିଓ୍ବାରୀ ।

ଗତ ମାର୍ଚ୍ଚ ୧୪ ତାରିଖରେ ଘରୁ ଟଙ୍କା ମିଳିବା ପରେ ଜଷ୍ଟିସ ଯଶଓ୍ବନ୍ତଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପଠାଇବା ଲାଗି ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତି ପରଠାରୁ ତାଙ୍କ ବିରୋଧରେ ସ୍ବର ବଢିବାରେ ଲାଗିଛି । ଟଙ୍କା ମିଳିବା ଘଟଣା ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କହିଛନ୍ତି ତିଓ୍ବାରୀ । ସେ ଆହୁରି କହିଛନ୍ତି, ଜଷ୍ଟିସ ଯଶଓ୍ବନ୍ତଙ୍କ ପ୍ରସଙ୍ଗରେ ସମ୍ବିଧାନ ପ୍ରତି ଆଘାତ ଲାଗିଛି । କୌଣସି ହାଇକୋର୍ଟରେ ତାଙ୍କୁ ନିଯୁକ୍ତି ଦେବା ବିପଜ୍ଜନକ ସାବ୍ୟସ୍ତ ହେବ । ସେପଟେ ଜଷ୍ଟିସ ଶୀଲ ନାଗୁ, ଜଷ୍ଟିସ ଜିଏସ ସାନ୍ଧୱାଲିଆ ଓ ଜଷ୍ଟିସ ଅନୁ ଶିବରମଣଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପିଠ ଜଷ୍ଟିସ ଯଶଓ୍ବନ୍ତଙ୍କ ବିରୋଧରେ ଚଳିତ ସପ୍ତାହରେ ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।