ସ୍କୁଲ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଓଡ଼ିଶା ପବ୍ଲିକ ସ୍କୁଲ ସଂଘର ଦାବି

ଭୁବନେଶ୍ୱର: କରୋନା କଟକଣାରେ ମନ୍ଦିର ଖୋଲିଲାଣି  । ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ନିୟମିତ ଖୋଲିବାରେ ଲାଗିଛି  । ରାଜ୍ୟ ସରକାର ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ  । ହେଲେ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବାର ଆବଶ୍ୟକତା ରହିଛି  । କନଫିଡେରେସନ ଅଫ ଓଡିଶା ପବ୍ଳିକ ସ୍କୁଲ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ରଖିଛି  ।

ସଂପୂର୍ଣ୍ଣ ସ୍କୁଲ ଖୋଲିବା ଉପରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଓଡ଼ିଶା ପବ୍ଲିକ ସ୍କୁଲ ସଂଘ ସରକାରଙ୍କ ନିକଟରେ ଦାବି କରିଛନ୍ତି  । ସ୍କୁଲ ଆସିବା ପାଇଁ ଆବଶ୍ୟକ ଥିବା ସମସ୍ତ କରୋନା ନିୟମ ମାନିବାକୁ ପ୍ରସ୍ତୁତ ଅଛନ୍ତି ଘରୋଇ ସ୍କୁଲ କର୍ତ୍ତୃପକ୍ଷ । ଦୁଇଟି କ୍ଳାସ ନୁହେଁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି । ଫେବୃୟାରୀ ମାସରୁ ସ୍ୱାଭାବିକ ଭାବରେ ସ୍କୁଲ ଖୋଲିବ ସହ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କରିବାକୁ ସଂଘ ଦାବି କରିଛି  । ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା । ୭୦ ମାର୍କ ପରୀକ୍ଷା ହେବ । ୩୦ ମାର୍କ ଗ୍ରେସ ମିଳିବ । କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ ବୋଲି କୁହାଯାଇଛି  । ଫେବୃଆରୀରେ ହିଁ ପରୀକ୍ଷା ହେବ ।

ସ୍କୁଲ ଖୋଲିବାକୁ ଅନୁମତି ମିଳିଲେ ଅଧିକ ପିଲା ଥିଲେ ଦୁଇଟି ସେକ୍ସନରେ କ୍ଳାସ କରିବା ପାଇଁ ପ୍ରସ୍ତୁତ ବୋଲି କହିଛି ସଂଘ । କାରଣ ପିଲାମାନଙ୍କୁ ଫିଜିକାଲ କ୍ଳାସ କରିବାର ଆବଶ୍ୟକତା ରହିଛି । ଅନ୍ୟ ରାଜ୍ୟରେ ସ୍କୁଲ ଫି ରିହାତି ନେଇ କୌଣସି ରାଜ୍ୟର ହାଇକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିଆନା ହାଇକୋର୍ଟ ମନାକରିଛନ୍ତି । ଫି ନଦେଲେ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ଦରମା ଦେବା ଅସମ୍ଭବ ହେବ । ଅଭିଭାବକ ମାନେ ୧୦ ପ୍ରତିଶତ ରିହାତି ରେ ଫି ଦାଖଲ କରିବାକୁ ସଂଘ ନିବେଦନ କରିଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ହେଲେ ଫି ଦେବାକୁ ପଡିବ ବୋଲି ନିବେଦନ କରାଯାଇଛି  ।

Leave a Reply