spot_img

Latest Posts

ବିଦା ହେଲେ ସଞ୍ଜୀବ, ଜୋର ଧରିଲା ଗିରଫ ଦାବି

ସମ୍ବଲପୁର: ସମ୍ବଲପୁର ବିଶ୍ବ ବିଦ୍ୟାଳୟର ବିବାଦୀୟ କୁଳପତି ସଞ୍ଜୀବ ମିତ୍ତଲଙ୍କ ଇସ୍ତଫା ଗୃହୀତ ହେବା ପରେ ତାଙ୍କୁ ଗିରଫ ନେଇ ଦାବି ଉଠିବାରେ ଲାଗିଛି । ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଭିନ୍ନ ସଂଗଠନ । ତାଙ୍କର ବିବାଦୀୟ କାର୍ଯ୍ୟ ଯୋଗୁଁ ବିଶ୍ବ ବିଦ୍ୟାଳୟର ଅନେକ କ୍ଷତି ହୋଇଛି । ତେଣୁ ସବୁର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘ ।

ସୂଚନାଯୋଗ୍ୟ, ବିବାଦୀୟ କୁଳପତି ସଞ୍ଜୀବଙ୍କ ଇସ୍ତଫାପତ୍ର ୨୮ ତାରିଖରେ ଗୃହୀତ ହୋଇଛି । ସ୍ବଚ୍ଛ ବିଦ୍ୟାଳୟ ପାଇଁ ଏମସିଏଲ ଦେଇଥିବା ୩୪ ଲକ୍ଷ ଟଙ୍କା ହଡ଼ପ ଘଟଣା ହେଉ କି ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା, ଏପରି ଅନେକ ଅପରାଧରେ ସେ ଜଡ଼ିତ ଥିବା ଅଭିଯୋଗ ହୋଇଛି । କୋଭିଡ ମହାମାରୀ ସମୟରେ ବିଶ୍ବବିଦ୍ୟାଳୟର ୩୪ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆଣି ନିଜ ପୁଅ ଓ ସ୍ତ୍ରୀଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ ସଞ୍ଜୀବ । ତେଣୁ ତାଙ୍କ ଗିରଫ କରି ଏସବୁ ଘଟଣାର ତଦନ୍ତ କରିବାକୁ ଦାବି ଉଠାଇଛନ୍ତି  ବିଭିନ୍ନ ସଂଗଠନ ।

ସଞ୍ଜୀବ ମିତ୍ତଲଙ୍କ ଯୋଗୁଁ ବିଶ୍ବବିଦ୍ୟାଳୟର ଅନେକ କ୍ଷତି ହୋଇଛି । ତାଙ୍କ ଦୁର୍ନୀତିର ଚିଠା ବହୁତ ଲମ୍ବା । ବିନା କାରଣରେ ବଟାନିକାଲ ଗାର୍ଡେନରୁ ଗଛ କାଟି ବିକ୍ରି କରିବା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅଦରକାରୀ ବହି କିଣିବା, ପୁରୁଣା କମ୍ପ୍ୟୁଟର କିଣି ନୂଆ ବିଲ୍ କରିବା, ପ୍ରଶ୍ନପତ୍ର ଲିକ୍ ଘଟଣା, ସବୁଥିରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ଆସିଛି । ଏଥିପାଇଁ ବିଶ୍ବବିଦ୍ୟାଳୟ ବଦନାମ ହୋଇଛି । ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ପୂର୍ବତନ କର୍ମଚାରୀ ସଂଘ ।

ଗତ ୨୦୨୧  ଜାନୁଆରୀ ମାସରୁ ଏକଛତ୍ରବାଦ ଶାସନ ଚଳାଇଥିବା ଭିସିଙ୍କୁ ଗିରଫ ନକଲେ ଆନ୍ଦୋଳନ ତିବ୍ର ହେବ ବୋଲି ଚେତାବନୀ ଦେଇଛି ସଂଘ ।

Latest Posts

Don't Miss