ଆମ୍ବ ଟାକୁଆ ମୃତ୍ୟୁ: ଖାଦ୍ୟ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ, ଫୌଜଦାରୀ ମାମଲା ରୁଜୁ ଦାବି
ଭୁବନେଶ୍ବର: ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ଏକ ଅପରାଧିକ ଦିଗ ଆଡ଼େ ସଙ୍କେତ ଦେଲାଣି । ଗରିବ ଆଦିବାସୀଙ୍କୁ ଚାଉଳ ନ ଦିଆଯାଇ ଖୋଲାଖୋଲି ଭାବେ ଖାଦ୍ୟ ସୁରକ୍ଷା ଆଇନର ଉଲ୍ଲଂଘନ କରାଯାଇଛି, ଯାହା ଆଇନଗତ ଅପରାଧ । ଏଥିରେ ଫୌଜଦାରୀ ମାମଲା ରୁଜୁ ହୋଇ ତଦନ୍ତ ହେବା ନେଇ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରୁ ଦାବି ଜୋର ଧରିଲାଣି । ସରକାରଙ୍କ ବିରୋଧରେ ମାମଲା ରୁଜୁ କରି ଆଇନର ଆଶ୍ରୟ ନେବାକୁ ସଜବାଜ ହେଲେଣି ବିରୋଧୀ ।
ଖାଦ୍ୟ ସୁରକ୍ଷା ଆଇନର ମୂଳ ଉଦ୍ଦେଶ୍ୟ ଫେଲ । ରାଜ୍ଯ ସରକାର ଆଇନକୁ ଖିଲାଫ କରିଚାଲିଥିବା ନେଇ ଅଭିଯୋଗ । ଚାଉଳ ନ ପାଇବାରୁ ମାଣ୍ଡିପଙ୍କାର ୨ ଆଦିବାସୀ ଆମ୍ବ ଟାକୁଆ ଖାଇ ଆଖି ବୁଜିଲେ। ୬ ଜଣ ରହିଛନ୍ତି ଚିକିତ୍ସାଧୀନ । ଚାଉଳ ମିଳିଥିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ମିଛ କହିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪୦ ଲକ୍ଷ ଲୋକଙ୍କୁ ଚାଉଳ ନ ମିଳିଥିବା ମାନିଲେ । ଖାଦ୍ୟ ସୁରକ୍ଷା ଆଇନର ଉଲ୍ଲଂଘନ ହୋଇଥିବାବେଳେ ଜୀବନ ଯାଇଥିବା କାରଣରୁ ଫୌଜଦାରୀ ମାମଲା ରୁଜୁ ହେବାର ନିୟମ ରହିଛି ।
ଚାଉଳ ଦେବାରେ ଅବହେଳା କରିଥିବା ରିଟେଲର ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ । ଆସନ୍ତା ୧୩ରେ ବାମ ଦଳ ଓ ଫରଓ୍ବାର୍ଡ ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ । ସଂରକ୍ଷିତ ଅଞ୍ଚଳର ଦାୟିତ୍ବ ରାଜ୍ୟପାଳଙ୍କ ହୋଇଥିବାରୁ ତାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯିବ । ସେପଟେ କଂଗ୍ରେସ ବି ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛି ।
ଖାଦ୍ୟ ଅଭାବରୁ ଆଦିବାସୀଙ୍କ ଜୀବନ ଯାଇଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରେ ନବୀନ ଶାସନ ଭାର ସମ୍ଭାଳିବା ପରେ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରଦାନକୁ ନିଶ୍ଚିତ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷାର ବାଦ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷାରେ ସାମିଲ କରିଥିଲେ ନବୀନ । ଯେଉଁଥି ପାଇଁ କେନ୍ଦ୍ର ସରକାର ଓ ଅନ୍ତର୍ଜାତୀୟ ସ୍ତରରେ ଜାତିସଂଘ ବି ଏହାକୁ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଖାଦ୍ୟ ସୁରକ୍ଷାରେ ଏକ ନମ୍ବର ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଘଟୁଛି ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ନବୀନ ପୋଷ୍ଟ କରିଥିଲେ । ସେ କହିଛନ୍ତି, ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା । ଏପରି ଘଟଣା ଦୁଇ ଦଶନ୍ଧି ତଳେ ଦେଖିବାକୁ ମିଳୁଥିଲା । ଏକ ନମ୍ବର ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ । କ୍ଷମତାକୁ ଆସି ସରକାର ରାଜ୍ୟକୁ ପୁଣି ଭୋକର ଅନ୍ଧାର ଗଳିକୁ ଠେଲି ଦେଇଥିବା ବିଜେଡି ଅଭିଯୋଗ କରିଛି ।
ଆରଡିସି ସ୍ତରୀୟ ତଦନ୍ତ କଥା କୁହାଯାଏ ହେଲେ ରିପୋର୍ଟ ପ୍ରକାଶ ପାଏ ନାହିଁ । ଆମ୍ବ ଟାକୁଆ ଜାଉ ଖାଇ ମରିବା ଘଟଣା ଭୁଶୁଡ଼ିଥିବା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷା ନିମୟ ଉଲ୍ଲଂଘନର ବଡ଼ ଉଦାହରଣ ।