ଡେଲଟା ଭ୍ୟାରିଆଣ୍ଟକୁ ନେଇ ଆମେରିକାରେ ସ୍ଥିତି ସଙ୍ଗୀନ, ଜୁନ୍‌ ଅପେକ୍ଷା ୧୦ଗୁଣା ବଢ଼ିଛି ସଂକ୍ରମଣ

ନୂଆଦିଲ୍ଲୀ: ବଢୁଛି ଡେଲଟାକୁ ନେଇ ଭୟ । ଅଧିକ ସଂକ୍ରମକ ଡେଲଟା ଭ୍ୟାରିଆଣ୍ଟ ପାଇଁ ଆମେରିକାରେ ଭୟଙ୍କର ସ୍ଥିତି । ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ମାରାତ୍ମକ ହୋଇଥିବା ବେଳେ ଟିକା ନେଇସାରିଥିବା ଲୋକମାନଙ୍କୁ ମଧ୍ୟ ଏହା କ୍ଷତି ପହଞ୍ଚାଉଥିବା ଦେଖାଯାଉଛି । ଯାହାକୁ ନେଇ ଆମେରିକୀୟଙ୍କୁ ସତର୍କ କରାଇଛି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭନସନ ବା ସିଡିସି ପକ୍ଷରୁ କୁହାଯାଇଛି । ଏବେ ଆମେରିକା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଉପରେ ରହୁଛି । ସମସ୍ତ ସଂକ୍ରମିତ ଡେଲଟା ଭ୍ୟାରିଆଣ୍ଟରେ ଆକ୍ରାନ୍ତ । ସ୍ଥିତି ବିଗୁଡ଼ୁଥିବା ବେଳେ ଏଥିରେ ନିୟନ୍ତ୍ରଣ ପାଇଁ ପୁଣି କଟକଣା ବଢ଼ାଇଛନ୍ତି ଆମେରିକା ସରକାର । ସାରାଦେଶରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହାସହ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଉପରେ ଗୁରୁତ୍ବ ଦେଇଛି ସିଡିସି ।

ଆମେରିକାରେ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଟିକା ନେଇନାହାନ୍ତି। ଡେଲଟା ଯୋଗୁ ଆମେରିକାରେ ବଢୁଛି ଦୈନିକ ସଂକ୍ରମଣ ମାମଲା । ଜୁନ୍ ଅପେକ୍ଷା ଜୁଲାଇରେ ସଂକ୍ରମିତଙ୍କ ସଂଖ୍ୟା ୧୦ଗୁଣା ବଢ଼ିଛି । ଦିନକୁ ପାଖାପାଖି ୧ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୫୭ଲକ୍ଷ ୪୫ହଜାର ୨୪ ପାର କରିଛି । ଆମେରିକା ସହ ବ୍ରିଟେନ୍‌ ବି ଡେଲ୍‌ଟା ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଛି । ବ୍ରିଟେନର ଦୈନିକ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତ ଡେଲଟା ଭ୍ୟାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି । ଫିଲିପାଇନ୍ସରେ ଡେଲଟା ଡରରେ ୨ସପ୍ତାହ ବଢ଼ାଯାଇଛି ଲକ୍‌ଡାଉନ ଅବଧି । ସେପଟେ ଜାପାନରେ ବି ବଢୁଛି ଡେଲଟା ସଂକ୍ରମିତଙ୍କ ସଂଖ୍ୟା ।

ଚୀନରେ ବି ଡେଲଟାକୁ ନେଇ ହାଇଆଲର୍ଟ । ଖୁବଶୀଘ୍ର ବ୍ୟାପୁଥିବା ଏହି ଭାରିଆଣ୍ଟ ଲକ୍ଷଣ ହୀନ ହୋଇଥିବାରୁ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି । ଚୀନରେ ଗୋଟିଏ ଦିନରେ ପାଖାପଖି ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରିଦିଆଯାଇଛି ।

Leave a Reply