ନୂଆଦିଲ୍ଲୀ: ବଦଳିଲା ରାଷ୍ଟ୍ରପତି ଭବନ ଉଦ୍ୟାନର ନାଁ । ମୋଗଲ ଗାର୍ଡେନ ବଦଳରେ ଏଣିକି ଏହା ଅମୃତ ଉଦ୍ୟାନରେ ନାମିତ ହେବ । ନୂଆ ନାଁକୁ ମିଳିଛି ରାଷ୍ଟ୍ରପତିଙ୍କ ଅନୁମୋଦନ । ରାଷ୍ଟ୍ରପତି ଭବନରେ ନିର୍ମିତ ଗାର୍ଡେନ ମୋଗଲମାନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ଏଥିରେ ଝରଣା, କେନାଲ, ପୋଖରୀ ଆଦି ରହିଛି । ଆଫଗାନିସ୍ତାନ, ବାଂଲାଦେଶ, ଭାରତ ଓ ପାକିସ୍ତାନରେ କେତେକ ମୋଗଲ ଗାର୍ଡେନ ରହିଥିବାବେଳେ କେନ୍ଦ୍ର ଏସୀୟ ଦେଶଗୁଡିକ ତୁଳନାରେ ସେଗୁଡିକ ଭିନ୍ନ ।

ମୋଗଲ ଗାର୍ଡେନ ମଧ୍ୟରେ ରହିଛି ହର୍ବାଲ ଗାର୍ଡେନ, ମ୍ୟୁଜିକାଲ ଗାର୍ଡେନ, ସ୍ପିରିଚୁଆଲ ଗାର୍ଡେନ । ଅମୃତ ଉଦ୍ୟାନକୁ ଆସନ୍ତା ଜାନୁଆରୀ ୩୧ରୁ ମାର୍ଚ୍ଚ ୨୬ ଯାଏ ସର୍ବସାଧାରଣଙ୍କ ଲାଗି ଖୋଲା ରହିବ ।ପ୍ରାୟ ୧୫ ଏକର ପରିମିତ ଇଲାକାରେ ଏହି ଗାର୍ଡେନ ପ୍ରତିଷ୍ଠିତ । ମୋଗଲ ଗାର୍ଡେନ ଯଦିଓ ମୋଗଲଙ୍କ ଦ୍ବାରା ଡିଜାଇନ କରାଯାଇଥିଲା ତଥାପି ଏହାକୁ ଆଧୁନିକ ରୂପ ଦେଇଥିଲେ ସାର୍ ଏଡଓ୍ବିନ ଲ୍ୟୁଟିନସ ।