ବିଗିଡ଼ିଗଲା ଦିଲ୍ଲୀ ବାୟୁ ମଣ୍ଡଳ, ଯୁଆଡ଼େ ଦେଖିବ ଧୂଆଁ ଆଉ ଧୂଆଁ…

ନୂଆଦିଲ୍ଲୀ: ଆହୁରି ଖରାପ ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା । ଗତ 5 ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ବାୟୁ ମଣ୍ଡଳ । ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ 462 ହୋଇଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । 2016ରେ 445, 2017ରେ 403, 2018ରେ 390, 2019ରେ 368 ଏବଂ ଗତବର୍ଷ ଏହି ହାର ଥିଲା 435 ।

ଗତବର୍ଷ ଦୀପାବଳିରେ ଏହି ହାର 414 ଥିବା ବେଳେ, ଚଳିତ ବର୍ଷ ଏହି ହାର ଥିଲା 382 । ପ୍ରଦୂଷଣର ମାତ୍ରା ବଢିବା ଯୋଗୁ ଲୋକଙ୍କ ଗଳାରେ ଯନ୍ତ୍ରଣା ହେବା ସହ ଆଖି ପୋଡୁଥିବା କୁହାଯାଉଛି । ସେହିପରି ଦିଲ୍ଲୀର ଆଖପାଖ ସହରରେ ମଧ୍ୟ ପ୍ରଦୂଷଣ ଗୁରୁତର ଆକାର ଧାରଣ କରିଛି । ଫରିଦାବାଦରେ ଏକ୍ୟୁଆଇ 469 ଥିବା ବେଳେ ଗ୍ରେଟର ନୋଏଡାରେ 464, ଗାଜିଆବାଦରେ 479, ଗୁରୁଗାଓଁରେ 472, ନଏଡାରେ 475 ରହିଛି ।

ବାୟୁମଣ୍ଡଳର ସ୍ଥିତି ଖରାପ ଯୋଗୁ 200 ମିଟର ଆଗକୁ କିଛି ଦେଖାଯାଉନାହିଁ । ସହରର ଅଧିକାଂଶ ଭାଗର ଲୋକମାନେ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ପୂର୍ବରୁ ସ୍ୱାଭାବିକ ଥିବା ଦିଲ୍ଲୀର ବାୟୁ ମଣ୍ଡଳ ଦୀପାବଳି ପରେ ହିଁ ବିଗିଡ଼ି ଯାଇଛି  । ଏବେ ସବୁଆଡ଼େ ଧୂଆଁ ଧୂଆଁ ହୋଇ ପଡ଼ିଛି  ।

Leave a Reply