ଦିଲ୍ଲୀରେ ସିଏଏ ହିଂସା ନେଲାଣି ୧୩ ଜୀବନ, ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ସିଏଏ ନିଆଁ ।  ଜଳୁଛି ଦିଲ୍ଲୀ, ବଢୁଛି ହିଂସା । ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ଉତ୍ତରପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ଜଣେ ପୋଲିସ କର୍ମୀଙ୍କ ସହ ୧୩ଜଣ ପ୍ରାଣ ହରାଇଛନ୍ତି, ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୪୪ ଧାରା ଓ କର୍ଫୁ ପରେ ବି ସ୍ଥିତି ନସୁଧୁରିବାରୁ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷା ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି । ସିଲମପୁର, ଭଜନପୁରା, ମୌଜପୁର, ଯମୁନା ବିହାର ଭଳି ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି । ଆଇପିଏସ୍‌ ଏସଏନ୍‌ ଶ୍ରୀବାସ୍ତବଙ୍କୁ ଆଇନ ଶୃଙ୍ଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି ।

ସେପଟେ ହିଂସା ଘଟଣାକୁ ଆଖିରେ ରଖି ଆଜି ଉତ୍ତରପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିଛି। ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ସେପଟେ ହିଂସା ମାମଲା ନେଇ ଦିଲ୍ଲୀ ହାଇକୋର୍ଟରେ ରାତି ଅଧିଆ ଶୁଣାଣି ହୋଇଛି। ଜଷ୍ଟିସ ଏସ. ମୁରଲୀଧରନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଶୁଣାଣି ହୋଇଛି। ଆହତଙ୍କୁ ସୁରକ୍ଷିତ ଭାବେ ହସପିଟାଲ ପହଞ୍ଚାଇବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଆହତଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉ। ଏଥିସହ ସ୍ଥିତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ନେଇ ଆଜି ଅପରାହ୍ନରେ ଶୁଣାଣି ହେବ।

Leave a Reply