ଦିଲ୍ଲୀରେ ଆରମ୍ଭ ହେଲା ରେଡ୍ ଲାଇଟ୍ ଅନ ଗାଡ଼ି ଅଫ୍ କ୍ୟାମ୍ପେନ୍

ନୂଆଦିଲ୍ଲୀ: ରେଡ୍ ଲାଇଟ୍ ଅନ ଗାଡ଼ି ଅଫ୍ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଆଜିଠାରୁ ଆରମ୍ଭ ହୋଇଛି କ୍ୟାମ୍ପେନ୍ ରେଡ୍ ଲାଇଟ୍ ଅନ ଗାଡି ଅଫ୍ । ଦିଲ୍ଲୀରେ ଛକ ଗୁଡିକରେ ଟ୍ରାଫିକ ସିଗନାଲରେ ରେଡ୍ ଲାଇଟ ଲାଗିଲେ ଗାଡି ଷ୍ଟାର୍ଟ ବନ୍ଦ କରିବାକୁ ଗାଡ଼ି ଚାଳକଙ୍କୁ ଅନୁରୋଧ କରିଛନ୍ତି ସରକାର। ଆଇଟିଓ ଛକରୁ ଏହି କ୍ୟାମ୍ପେନ ଆରମ୍ଭ କରିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ । ସାରା ଦିଲ୍ଲୀରେ ଏହି କ୍ୟାମ୍ପେନକୁ ଚଳାଇବାକୁ ଅଭିଯାନ ଚାଲିବ। ପ୍ରଦୂଷଣ ମାତ୍ରା ବଢୁଥିବାରୁ ଆଣ୍ଟି ଡଷ୍ଟ କ୍ୟାମ୍ପେନକୁ ଦିଲ୍ଲୀରେ ଜୋରଦାର କରାଯାଇଛି। ଗାଡିର ପ୍ରଦୂଷଣ ମାତ୍ରା ରୋକିବାକୁ ଆଣ୍ଟ ଡଷ୍ଟ କ୍ୟାମ୍ପେନ୍ ଚଳାଯାଉଛି । ଦିନକୁ ଗୋଟିଏ ଗାଡି ଦିଲ୍ଲୀରେ ପ୍ରାୟ ୩୦ ମିନିଟ ଧରି ବିଭିନ୍ନ ଛକରେ ଷ୍ଟାର୍ଟ ହୋଇ ରହିଥାଏ ।

ରେଡ୍ ଲାଇଟ୍ ଲାଗିବା ପରେ ଗାଡି ଷ୍ଟାର୍ଟ ବନ୍ଦ କରିଦେଲେ ପ୍ରଦୂଷଣ ରୋକାଯିବା ସହ ଇନ୍ଧନ ମଧ୍ୟ ସଂଚୟ କରାଯାଇପାରିବ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ରେଡ ଲାଇଟ ଅନ ଗାଡି ଅଫ୍ କ୍ୟାମ୍ପେନକୁ ପବ୍ଲିକ କ୍ୟାମ୍ପେନ ଭାବେ ଚଳାଇବାକୁ ସେ ଆହ୍ବାନ କରିଛନ୍ତି । ୨୦୨୦ରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି କ୍ୟାମ୍ପେନ୍। ବିଦେଶରେ ମଧ୍ୟ ଏଭଳି ଅଭିଯାନ ଚଳାଯାଉଛି ।

ଲଣ୍ଡନରେ ଇଂଜିନ ଅଫ୍ ଏଭ୍ରି ଷ୍ଟପ୍ ଭାବରେ ଅଭିଯାନ ଚଳାଯାଉଛି । ସେହିପରି ଆମେରିକାର ଉତ୍ତର କାରୋଲିନାରେ ଟର୍ନ ଅଫ୍ ୟୋର ଇଂଜିନ ଭାବେ ଅଭିଯାନ ଚଳାଯାଉଛି । ଏହି ଅଭିଯାନ ପରେ ୧୦ କାର ଚାଳକଙ୍କ ମଧ୍ୟରୁ ୮ ଜଣ ସେମାନଙ୍କ ଗାଡିର ଇଂଜିନ ଷ୍ଟାର୍ଟ ବନ୍ଦ କରୁଥିବା ପରିଲକ୍ଷିତ ହେଉଛି । ଛକ ଗୁଡିକରେ ଗାଡି ଷ୍ଟାର୍ଟ ଅବସ୍ଥାରେ ରହିଲେ ପ୍ରଦୂଷଣ ମାତ୍ରା ୯ ପ୍ରତିଶତ ବୃଦ୍ଧି ପାଉଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି।