ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟିବ ପାକିସ୍ତାନର ଜାତୀୟ କବିଙ୍କ ନାମ

ଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟିବ ମହମ୍ମଦ ଇକବଲଙ୍କ ନାମ । ପାକିସ୍ତାନର ଜାତୀୟ କବି ଭାବେ ଖ୍ୟାତିଲାଭ କରିଥିବା ଇକବଲଙ୍କ ନାଁ ପାଠ୍ୟକ୍ରମରୁ ହଟାଇବା ନେଇ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଆକାଡେମିକ କାଉନସିଲ ପକ୍ଷରୁ ଏକ ପ୍ରସ୍ତାବ ଗୃହିତ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ପ୍ରଖ୍ୟାତ ସଂଗୀତ ସାରେ ଜାହାଁ ସେ ଆଚ୍ଛାର ରଚୟିତା ଥିଲେ ଇକବଲ । ଆଲାମା ଇକବଲ ନାମରେ ବି ଜଣାଶୁଣା ଇକବଲ ଅବିଭକ୍ତ ଭାରତର ସିଆଲକୋଟରେ ୧୮୭୭ରେ ଜନ୍ମ ଗ୍ରହଣ କରିଥିଲେ ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବ୍ୟାଚଲର ଅଫ ଆର୍ଟସ ଲାଗି ଉଦ୍ଦିଷ୍ଟ ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ ବିଷୟରେ ଇକବଲଙ୍କ ବିଷୟ ରହିଛି । ଆକାଡେମିକ କାଉନସିଲର ନିଷ୍ପତ୍ତିକୁ ବିଶ୍ବବିଦ୍ୟାଳୟର ଏକଜିକ୍ୟୁଟିଭ କାଉନସିଲରେ ଦାଖଲ କରାଯାଇଛି । କାଉନସିଲର ନିଷ୍ପତ୍ତି ଚୂଡ଼ାନ୍ତ ହେବ । ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଏବିଭିପି । ପାଠ୍ୟପୁସ୍ତକରେ ରାମ ମୋହନ ରୟ, ପଣ୍ଡିତ ରମାବାଈ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧି, ବି.ଆର. ଆମ୍ବେଦକରଙ୍କ ନାମ ସ୍ଥାନୀତ ରହିଥିବାବେଳେ ଇକବଲଙ୍କୁ ଟାର୍ଗେଟ କରାଯାଇଛି ।