spot_img

Latest Posts

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଜାରି ହେଲା ଜିଆର୍‌ଏପି-୪ କଟକଣା

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି । ଆଖି ଜଳପୋଡା ହେବା ସହ ଗଡୁଛି ଲୁହ । ଭୟଙ୍କର ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ବଞ୍ଚିବା କଷ୍ଟ ହୋଇପଡିଲାଣି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ ଜିଆର୍‌ଏପି-୪ ଲାଗୁ କରାଯାଇଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ । ଦିଲ୍ଲୀରେ AQI ରେକର୍ଡ ଭାଙ୍ଗିଛି । ବାୟୁ ଗୁଣବତ୍ତା ସୂଚକାଙ୍କ AQI ୪୫୭ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ CAQM ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।

ମୁକାବିଲା ପାଇଁ ଆଜି ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି। ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ।

ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ। BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିଛି। ଗତ ରାତିରୁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଚେକିଂକୁ କଡ଼ାକଡ଼ା କରାଯାଇଛି। ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରଖାଯାଇଛି ।

ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ GRAP-4 ଲାଗୁ ହେଉଥିବାରୁ ଏହି ପ୍ରତିବନ୍ଧକଗୁଡିକ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯିବ।

Latest Posts

Don't Miss