କରୋନା ତାଣ୍ଡବ ଭିତରେ ଦିଲ୍ଲୀରେ ଖେଲାଯିବ ପ୍ରଥମ IPL ମ୍ୟାଚ୍
1 min read
ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରଥମ ମ୍ୟାଚ୍ ଆୟୋଜନ କରୁଛି। ଦିଲ୍ଲୀରେ କରୋନା ମାମଲା ହୁ ହୁ ହୋଇ ବଢ଼ୁଥିବାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ରହିଥିବାବେଳେ ଡାକ୍ତରଖାନାରେ ଶଯ୍ୟା ଅଭାବ ଓ ଅମ୍ଳଜାନ ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି।
ଗତ 24 ଘଣ୍ଟାରେ ଦିଲ୍ଲୀରେ 24 ହଜାର 149ଜଣ କରୋନା ସଂକ୍ରମିତ ହୋଇଥିବାବେଳେ 3ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଅମ୍ଳଜାନ ଯୋଗାଣ ପରିସ୍ଥିତି ଏତେ ଗୁରୁତର ଯେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ ସରକାର ରୋଗୀମାନଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ପରିଚାଳନା କରିବାରେ ଅସମର୍ଥ ବୋଲି କହଛନ୍ତି। ଏବଂ କୋର୍ଟ ଅମ୍ଳଜାନ ଯୋଗାଣ ପରିଚାଳନା ଦାୟିତ୍ୱ ବହନ କରିବାକୁ କେନ୍ଦ୍ର ସରକାରଙ୍କୁ କହିବେ ବୋଲି ମଧ୍ଯ କହିଛନ୍ତି।
ବୁଧବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ଫେରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ସନ୍ଧ୍ୟା 7.30 ରୁ ଆରମ୍ଭ ହେବ ମ୍ୟାଚ୍।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ମହାମାରୀରେ ଦେଶରେ ହା ହା କାର ହେଉଥିବାବେଳେ, ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବା ଠିକ୍ କି? ତେବେ ଏଭଳି ପରିସ୍ଥିତିରେ ବିସିସିଆଇ କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ମ୍ୟାଚଗୁଡିକୁ କରିବାକୁ କହିଛି।
ଏକ ଆଇପିଏଲ୍ ମ୍ୟାଚ୍ ସାଧାରଣତଃ ସାଢ଼େ ତିନି ଘଣ୍ଟା ଧରି ଚାଲିଥାଏ। ଚଳିତ ବର୍ଷ ଆଇପିଏଲରେ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତିଦିଆଯାଇ ନାହିଁ। ଆଇପିଏଲ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଏ କଠୋର ବାୟୋ-ବବଲ୍ ଭିତରେ ଚାଲିଛି। ତେଣୁ ମଙ୍ଗଳବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ବୁଧବାର ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ହେଲେ କିଛି ଅସୁବିଧା ନାହିଁ ବୋଲି କହିଛି।
ଆସନ୍ତା ମେ 7 ପର୍ଯ୍ୟନ୍ତ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ 4ଟି ଦଳର ମ୍ୟାଚ ରହିଛି। ତେବେ ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଡିଡିସିଏ ଦଳଗୁଡ଼ିକର ଅଭ୍ୟାସ ଅଧିବେଶନ ପାଇଁ ପୂରୁଣା ଦିଲ୍ଲୀର ରୋଶନାରା କ୍ଲବ ଗ୍ରାଉଣ୍ଡ ବୁକ୍ କରିଛି। ଏହା ମଧ୍ଯ ସୁରକ୍ଷିତ ବାୟୋ-ବବଲ୍ ଭିତରେ ରହିଛି।
ତେବେ ଡିଡିସିଏ ମୁତାବକ ଗ୍ରାଉଣ୍ଡର ସମସ୍ତ କର୍ମଚାରୀ ମଧ୍ଯ ବୋୟୋ-ବବଲରେ ରହିଛନ୍ତି ଏବଂ ସେମାନଙ୍କର ପ୍ରତ୍ୟେକ 2ଦିନରେ ଥରେ କୋଭିଡ ପରୀକ୍ଷା ମଧ୍ଯ କରାଯାଉଛି।
ଏକ ମ୍ୟାଚ୍ ସମୟରେ ଷ୍ଟାଡିୟମରେ 700 ରୁ ଅଧିକ ଲୋକ ରହିବେ ନାହିଁ। ଡିଡିସିଏ କର୍ମଚାରୀ, ଡାକ୍ତର ଏବଂ ଅଗ୍ନିଶମ ବାହିନୀଙ୍କୁ ମିଶାଇ ପ୍ରାୟ 200 ଜଣ, 400 ପୋଲିସ୍ କର୍ମଚାରୀ ରହିବା ସହ ବିସିସିଆଇ, ଫ୍ରାଞ୍ଚାଇଜ୍ ଅଧିକାରୀ ଏବଂ ପ୍ରସାରଣକାରୀଙ୍କୁ ମିଶାଇ ପ୍ରାୟ 100 ଜଣ ରହିବେ ବୋଲି ଡିଡିସିଏ ସୂଚନା ଦେଇଛି।