କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି, ମନ୍ତ୍ରୀ ଆତିଶୀ କହିଲେ କାରଣ

1 min read

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଦିଲ୍ଲୀ ସରକାର ବିଜୁଳି ସବସିଡିକୁ ନେଇ ବଡ଼ ଘୋଷଣା କରିଛି । ମାଗଣା ବିଜୁଳି ସବସିଡି ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ଆପ୍ ସରକାର । ଶକ୍ତି ମନ୍ତ୍ରୀ ଆତିଶୀ ଭରଦ୍ୱାଜ ଶୁକ୍ରବାର ଏନେଇ ସୂଚନା ଦେବା ସହ କହିଛନ୍ତି, ଆଜିଠୁ ଦିଲ୍ଲୀ ଜନସାଧାରଣଙ୍କୁ ଦିଆଯାଉଥିବା ସବସିଡି ବିଜୁଳି ବନ୍ଦ କରିଦିଆଯିବ । ଏହାଦ୍ୱାରା ୪୬ ଲକ୍ଷ ବିଜୁଳି ଉପଭୋକ୍ତା ପ୍ରଭାବିତ ହେବେ । ଆତିଶୀ ଏହାର କାରଣ ସମ୍ପର୍କରେ କହିଛନ୍ତି ଯେ, ଫ୍ରୀ ବିଜୁଳି ସବସିଡି ବନ୍ଦ କରିଦିଆଯାଇଛି କାରଣ ଆମ ଆଦମୀ ପାର୍ଟି ସରକାର ଆଗାମୀ ବର୍ଷ ପାଇଁ ସବସିଡି ଜାରି ରଖିବା ପାଇଁ ନିର୍ଣ୍ଣୟ କରିଛି, କିନ୍ତୁ ସେହି ଫାଇଲ୍ ଦିଲ୍ଲୀ ଏଲଜିଙ୍କ ପାଖରେ ପଡ଼ିରହିଛି ଏବଂ ଯେପର୍ଯ୍ୟନ୍ତ ସୁଦ୍ଧା ଫାଇଲକୁ ମଞ୍ଜୁରୀ ନମିଳିଛି ସେପର୍ଯ୍ୟନ୍ତ ସୁଦ୍ଧା ସରକାର ସବସିଡି ବିଲ୍ ଜାରି କରିପାରିବେ ନାହିଁ ।

ଆପ୍ ର ଏହି ନିଷ୍ପତ୍ତି ଦିଲ୍ଲୀର ଜନତାଙ୍କ ପାଇଁ କୌଣସି ବଡ଼ ଝଟକାଠାରୁ କମ୍ ନୁହେଁ । ଦିଲ୍ଲୀରେ ମାଗଣା ବିଜୁଳି ସବସିଡିକୁ ନେଇ ମନ୍ତ୍ରୀ ଆତିଶୀଙ୍କ ବୟାନ ଉପରେ ଦିଲ୍ଲୀ ଏଲଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଦିଆଯାଇଛି । ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଶକ୍ତି ମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଉଛି ଯେ ଏଲଜିଙ୍କ ବିରୋଧରେ ଅନାବଶ୍ୟକ ରାଜନୀତି ଏବଂ ଭିତ୍ତିହୀନ ଅଭିଯୋଗ ନକରନ୍ତୁ ।

ମିଛ ବୟାନ ଦ୍ୱାରା ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଶକ୍ତି ମନ୍ତ୍ରୀଙ୍କୁ ଜନତାଙ୍କୁ ଜବାବ ଦେବା ଆବଶ୍ୟକ ଯେ ଏହି ସମ୍ବନ୍ଧରେ ନିଷ୍ପତ୍ତି ୪ ଏପ୍ରିଲ ପର୍ଯ୍ୟନ୍ତ ବିଚାରଧୀନ କାହିଁକି ରଖାଗଲା? ଯେତବେଳେ କି ସମୟସୀମା ୧୫ ଏପ୍ରିଲ ଥିଲା? ଏଲଜିଙ୍କୁ ୧୧ ଏପ୍ରିଲରେ ହିଁ କାହିଁକି ଫାଇଲ୍ ପଠାଗଲା? ଏବଂ ୧୩ ଏପ୍ରିଲରେ ଚିଠି ଲେଖିବା ଏବଂ ଆଜି ପ୍ରେସ୍ କନଫରେନ୍ସ କରି ନାଟକ କରିବାର କଣ ଆବଶ୍ୟକତା ଥିଲା?

ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ରାଜଭବନ ମଧ୍ୟରେ ଗତ କିଛି ମାସ ହେବ ବିଜୁଳି ସବସିଡିକୁ ନେଇ ବିବାଦ ଲାଗି ରହିଛି । ସିଏମ ଅରବିନ୍ଦ କେଜରିୱାଲଙ୍କ ସରକାର ମାଗଣା ବିଜୁଳି-ପାଣି ଉପରେ ସବସିଡି ପୂର୍ବଭଳି ଜାରି ରଖିବାକୁ ଚାହୁଁଛନ୍ତି ଯେତବେଳେ କି ଏଲଜି ଏକ ପତ୍ର ଜରିଆରେ ପରାମର୍ଶ ଦେଇଥିଲେ ଯେ ସବିସିଡି ସିଧାସଳଖ ଉପଭୋକ୍ତାଙ୍କ ଖାତାକୁ ପଠାଯାଉ । ପ୍ରକାଶଥାଉକି, ଆମ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରଠୁ ବିଜୁଳି ଏବଂ ପାଣି ବିଲ୍ ଉପରେ ଉପଭୋକ୍ତାଙ୍କୁ ସବସିଡିର ଲାଭ ମିଳିଆସୁଛି । ହେଲେ ଆଜି ସରକାରଙ୍କ ନିଷ୍ପତ୍ତି ଦିଲ୍ଲୀବାସୀଙ୍କୁ ବଡ଼ ଝଟକା ଦେଇଛି ।