ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ । ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସୀମା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଆଜି ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ବାୟୁଗୁଣବତ୍ତା ଓ ପାଣିପାଗ ଆଗୁଆ ସୂଚନା ଓ ଗବେଷଣା ବା ସଫର ପକ୍ଷରୁ କୁହାଯାଇଥିବା ତଥ୍ୟ ଅନୁସାରେ ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ୧୯୦ରେ ପହଞ୍ଚିଛି । ଗତକାଲି ଏକ୍ୟୁଆଇ ୨୩୧ ଥିବାବେଳେ ଆଜି ଏହା ୧୯୦କୁ ଖସିଛି । ଚଳିତ ବର୍ଷ ପ୍ରଥମଥର ଲାଗି ଗତ ସୋମବାର ଦିଲ୍ଲୀର ଏକ୍ୟୁଆଇ ଅତି ସାଂଘାତିକ ହୋଇଥିଲା ।

ଦଶହରା ଲାଗି ଦିଲ୍ଲୀର କେତେକ ଅଞ୍ଚଳରେ ବାଣ ଫୁଟାଇବା କାରଣର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ଖରାପ ହୋଇଥିଲା । ଦିଲ୍ଲୀ ପରି ନୋଏଡାରେ ବି ବାୟୁ ଗୁଣବତ୍ତା ଖରାପ ରହିଛି । ନୋଏଡାରେ ଏକ୍ୟୁଆଇ ୨୧୮ ରହିଛି । ସେପଟେ ଆର୍ଥିକ ରାଜଧାନୀ ମୁମ୍ବାଇରେ ବି ଖରାପ ହେବାରେ ଲାଗିଛି ଏକ୍ୟୁଆଇ । ଆଜି ସହରରେ ଏକ୍ୟୁଆଇ ରହିଛି ୧୪୭ । ମହାନଗରୀରେ ପ୍ରାୟ ୬ ହଜାର ପ୍ରକଳ୍ପ ଚାଲିଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।