ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି, ଅଭିଯୋଗ ଆଣିଲେ ନିର୍ବାଚିତ ଆପ ବିଧାୟକ

1 min read

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବା ଲାଗି ମିଳୁନି ଅନୁମତି। ଏନେଇ ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା। ବିଧାନସଭା ଭିତରେ ପ୍ରବେଶ ନକରିବା ଲାଗି ପ୍ରବେଶ ପଥରେ ବ୍ଯାରିକେଡ ଲଗାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ। ବିଧାନସଭା ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଧାୟକ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ କେନ୍ଦ୍ର କରି ବିଧାନସଭାରେ ହଟ୍ଟଗୋଳ କରିବା କାରଣରୁ ୨୧ ଆପ୍ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ ବାଚସ୍ପତି। ବିଜେପିର ସରକାର ଗୃହରେ ଏକଛତ୍ରବାଦୀ ନୀତି ଆପଣାଉଛନ୍ତି ବୋଲି ଦଳ କରିଛି ଅଭିଯୋଗ। ଗତ ୨୫ ତାରିଖରେ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।  ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଥିଲା ସସପେଣ୍ଡ। ପ୍ରତିବାଦରେ ଗୃହରେ ଆପ୍ ବିଧାୟକମାନେ ନାରାବାଜି କରିଥିଲେ। ସିଏଜି ରିପୋର୍ଟରେ ଆପ୍ ସରକାର ଅମଳର ସିସମହଲ ନିର୍ମାଣ, ମଦନୀତି, ମୋହଲା କ୍ଲିନିକ ଆଦି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା ।

ବିଜେପି ଏକଛତ୍ରବାଦର ସୀମା ଅତିକ୍ରମ କରିଛି: ଆତିଶୀ

ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଟ୍ୱିଟ୍ କରି କହିଥିଲେ ଯେ ବିଜେପି କ୍ଷମତାକୁ ଆସିବା ପରେ ଏକଛତ୍ରବାଦର ସୀମା ପାର କରିଛନ୍ତି। ‘ଜୟ ଭୀମ’ ସ୍ଲୋଗାନ ଦେବା ପାଇଁ ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ତିନି ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ଏବଂ ଆଜି ଆପ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ। ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ଘଟିନାହିଁ  । ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ ବୋଲି ଆତିଶୀ କହିଛନ୍ତି । ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବାବେଳେ ପୁଣିଥରେ ଜୟଭୀମ ନାରା ଦେଇଥିବା ଦେଖିବାକୁ ମିଳିଛି ।