ମନ୍ତ୍ରୀଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଜୟପୁର: ଦୁଷ୍କର୍ମ ମାମଲାରେ ଫସିଛନ୍ତି ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ମହେଶ ଯୋଶୀଙ୍କ ପୁଅ ରୋହିତ । ଜଣେ ୨୩ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି । ଦିଲ୍ଲୀ ପୋଲିସର ଟିମ୍ ଜୟପୁର ସ୍ଥିତ ମନ୍ତ୍ରୀଙ୍କ ଦୁଇ ବାସଭବନକୁ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ଅଭିଯୁକ୍ତ ପୁଅକୁ ପାଇ ନ ଥିଲେ । ରୋହିତଙ୍କୁ ନ ପାଇବାରୁ ତାଙ୍କୁ ଚଳିତ ମାସ ୧୮ ସୁଦ୍ଧା କୋର୍ଟରେ ହାଜର ହେବା ପାଇଁ ସମନ କରିଛି ଦିଲ୍ଲୀ ପୋଲିସ ।

ସମନ କପିକୁ ରୋହିତଙ୍କ ଘରକାନ୍ଥରେ ମାରିଦିଆଯାଇଛି । ବିବାହର ପ୍ରତିଶ୍ରୁତି ଦେଇ ରୋହିତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୋଗ ଆଧାରରେ ପୋଲିସ ରୋହିତଙ୍କ ବିରୋଧରେ ଏତଲା ଦାୟର କରିଥିଲା । ପୋଲିସକୁ ତା କାମ କରିବାକୁ ଦିଆଯାଉ ବୋଲି ରୋହିତଙ୍କ ପିତା ମହେଶ ଯୋଶୀ କହିଛନ୍ତି । ସତ କଣ ତାହା ଶୀଘ୍ର ସାମନାକୁ ଆସିବ ବୋଲି ସେ କହିଛନ୍ତି । ରାଜସ୍ଥାନରେ ଏହି ମାମଲା ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀ ମହେଶ ଯୋଶୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।