spot_img

Latest Posts

ଆଜି ଚାଷୀଙ୍କ ମହାଆନ୍ଦୋଳନ; ସାମିଲ ହେବେ ପ୍ରାୟ ୨୦ ହଜାର ଚାଷୀ

ନୂଆଦିଲ୍ଲୀ: ଆଜି ଚାଷୀଙ୍କ ମହାଆନ୍ଦୋଳନ। ଦିଲ୍ଲୀ ଚଲୋ ଡାକରା। ସାମିଲ ହେବେ ପ୍ରାୟ ୨୦ ହଜାର ଚାଷୀ। ଯୁଦ୍ଧଂ ଦେହୀ ଡାକରାରେ ସାମିଲ ହେବେ ୨୦୦ରୁ ଅଧିକ ଚାଷୀ ସଂଗଠନ। ରାଲିରେ ବି ପ୍ରାୟ ଦୁଇ ହଜାର ୫୦୦ ଟ୍ରାକ୍ଟର ବି ସାମିଲ ହେବେ। ଚାଷୀ ଆନ୍ଦୋଳନକୁ ନେଇ ଆଲର୍ଟରେ ଦିଲ୍ଲୀ ପୋଲିସ। ଚାଷୀଙ୍କ ଏହି ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ହୋଇଛନ୍ତି ଛାନିଆ।

ଆନ୍ଦୋଳନକାରୀମାନେ କାର୍, ବାଇକ, ଟ୍ରେନ ଓ ବସରେ ଆସୁଥିବାରୁ ସବୁଠି ଜୋରଦାର ଚେକିଂ ଚାଲିଛି। ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ, କେରଳ ଓ କର୍ଣ୍ଣାଟକର ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସୂଚନା ମିଳିଛି। ଆନ୍ଦୋଳନକାରୀମାନେ କେତେକ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ସମ୍ଭାବନା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାନ୍ତରେ ବ୍ଯାରିକେଡ ବ୍ଯବସ୍ଥା କରାଯାଇଛି । ପଞ୍ଜାବ ଓ ହରିଆଣା ସୀମାନ୍ତ ଅମ୍ବାଲା, ଜିନ୍ଦ, ଫତେବାଦରେ ପୋଲିସ ଜୋରଦାର ଚେକିଂ ଚଳାଇଛି।

ଶସ୍ୟର ସର୍ବନିମ୍ନ ମୂଲ୍ଯ ସମେତ ଅନ୍ଯାନ୍ଯ ଦାବି ନେଇ ଚାଷୀ କରିଛନ୍ତି ଗର୍ଜନ। ହରିଆଣା ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ପଞ୍ଜାବ ଓ ହରିଆଣା ସୀମା ଅନ୍ତର୍ଗତ ଶମ୍ଭୁରେ ରାଜପଥକୁ ସିଲ୍ କରାଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା ନେତୃତ୍ବରେ ହୋଇଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଟ୍ରାକ୍ଟର ଯେପରି ଆସିପାରିବ ନାହିଁ ସେଥିଲାଗି ଘାଗଲ ନଦୀ ଶଯ୍ଯାକୁ ଖୋଳି ଦିଆଯାଇଛି।

ଆନ୍ଦୋଳନକାରୀମାନେ ନିଜ ସହ ଖାଦ୍ୟସାମଗ୍ରୀ, ଗ୍ୟାସ ସିଲିଣ୍ଡର, ଷ୍ଟୋଭ, ଶୟନ ସାମଗ୍ରୀ ଆଦି ଆଣିଥିବା ଦେଖାଯାଇଛି। ଶସ୍ୟ ଲାଗି ଏମଏସପି ସକାଶେ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ କରିବା, ସ୍ବାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା, ଚାଷୀ ଋଣ ଛାଡ଼ କରିବା, ପୋଲିସ ମୋକଦ୍ଦମା ପ୍ରତ୍ଯାହାର କରିବା, ଲଖିମପୁରୀ ଖେରି ହିଂସାରେ ପୀଡିତଙ୍କୁ ନ୍ୟାୟ ଦେବା ଆଦି ଦାବିରେ ଏହି ଆନ୍ଦୋଳନ ହେଉଛି।

Latest Posts

Don't Miss