ଦିଲ୍ଲୀ କନଷ୍ଟେବଲଙ୍କ ଉପରେ କାର ଚଢ଼ାଇ ୧୦ ମିଟର ଘୋଷାଡ଼ି ନେଲା ମଦ ବେପାରୀଙ୍କ ଡ୍ରାଇଭର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କନଷ୍ଟେବଲଙ୍କୁ ହତ୍ଯା । କାରକୁ ଅଟକାଇବାକୁ କହିବାରୁ ମଡ଼ାଇ ଦେଇ ଚାଲିଗଲା ମଦ ବେପାରୀର କାର ଡ୍ରାଇଭର । ଦିଲ୍ଲୀ ନାଗଲୋଇ ଅଞ୍ଚଳରେ ଘଟିଛି ଘଟଣା ।

ଗତକାଲି ରାତି ପ୍ରାୟ ୩ଟା ସମୟରେ କାରକୁ ଅଟକାଇବାକୁ କହିଥିଲେ ଡ୍ଯୁଟିରେ ଥିବା କନଷ୍ଟେବଲ ସନ୍ଦୀପ । ତେବେ କାର ଅଟକି ନଥିଲା । ଏହାପରେ ବାଇକରେ ପିଛା କରି ଗାଡିକୁ ସାଇଡ କରିବାକୁ ସିଗନାଲ ଦେଇଥିଲେ ସନ୍ଦୀପ । ହେଲେ ଡ୍ରାଇଭର କାର ନ ଅଟକାଇ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ବାଇକ ସହ ସନ୍ଦୀପଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇ ଆଉ ଏକ କାରକୁ ଧକ୍କା ଦେଇଥିଲା ମଦ ବେପାପୀଙ୍କ ଡ୍ରାଇଭର । ଏଥିରେ କନଷ୍ଟେବଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଘଟଣାସ୍ଥଳରୁ ଉଦ୍ଧାର କରି କନଷ୍ଟେବଲ ସନ୍ଦୀପଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲଙ୍କ ମୃତ୍ଯୁ ଘଟିଛି । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତନାଘନା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ପ୍ରକୃତରେ ଏହା ଦୁର୍ଘଟଣା ନା ଜାଣିଶୁଣି ଡ୍ରାଇଭର ଜଣକ ମଡ଼ାଇ ଘୋଷାଡ଼ି ନେଇ ହତ୍ଯା କରିଛି ଖୋଳତାଡ଼ କରୁଛି ପୋଲିସ ।