ଓକିଲଙ୍କୁ ହତ୍ୟା ପାଇଁ କୋର୍ଟରେ ବିସ୍ଫୋରଣ ଘଟାଇଥିଲେ DRDO ବୈଜ୍ଞାନିକ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ଘଟିଥିବା ବିସ୍ଫୋରଣର ପର୍ଦ୍ଦାଫାସ୍ । ଜଣେ ଓକିଲଙ୍କୁ ହତ୍ୟା କରିବା ଲାଗି ଏହି ବିସ୍ଫୋରଣ ଘଟାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଡିଆରଡିଓର ଜଣେ ବୈଜ୍ଞାନିକ । ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ଗତ ୯ ତାରିଖରେ ଦିଲ୍ଲୀ ରୋହିଣୀ ଡିଷ୍ଟ୍ରିକ୍ଟ କୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା । ଜଣେ ଓକିଲ ତାଙ୍କ ମାମଲାର ଶୁଣାଣି କରିବା ଲାଗି ଆସିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଥିଲା । ତେବେ ସୌଭାଗ୍ୟବଶତଃ ସେ ରକ୍ଷା ପାଇଯାଇଥିଲେ କିନ୍ତୁ ଏହି ବିସ୍ଫୋରଣରେ ଜଣେ ପୋଲିସ ଆହତ ହୋଇଥିଲେ ।

ତଦନ୍ତରୁ ଜଣା ପଡିଛି କି ଅଭିଯୁକ୍ତ ବୈଜ୍ଞାନିକଙ୍କ ବିରୋଧରେ ଉକ୍ତ ଓକିଲ ୧୦ରୁ ଅଧିକ ମାମଲା ରୁଜୁ କରିଥିବାରୁ ଉତ୍ତ୍ୟକ୍ତ ହୋଇ ବୈଜ୍ଞାନିକ ଏହି ପଦକ୍ଷେପ ନେଇଥିଲେ । ଓକିଲଙ୍କୁ ମାରିବା ଲାଗି DRDO ବୈଜ୍ଞାନିକ ଯୋଜନା କରିଥିଲେ ଏବଂ ନିଜେ ତିଆରି କରିଥିବା ଏକ ଟିଫିନ୍ ବୋମାକୁ ୧୦୨ ନମ୍ବର କୋର୍ଟ ରୁମରେ ରଖିଥିଲେ । ସେ ଏକ ବ୍ୟାଗରେ ବିସ୍ଫୋରକ ଆଣିଥିବାର ଫୁଟେଜ ସିସିଟିଭିରେ କଏଦ ହୋଇଥିଲା । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଉକ୍ତ ବୈଜ୍ଞାନିକଙ୍କୁ ଗିରଫ କରିଥିଲେ । ପୂର୍ବରୁ ଗତ ସେପ୍ଟେମ୍ବର ୨୪ରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଯୋଗୀଙ୍କୁ ରୋହିଣୀ କୋର୍ଟରୁମରେ ଗୁଳି କରିଥିଲେ ଦୁଇ ଜଣ ଦୁର୍ବୃତ୍ତ ।

Leave a Reply