ଦକ୍ଷିଣ ପନ୍ଥି ନେତାଙ୍କ ହତ୍ୟା କରିବାକୁ ଚାହୁଁଥିଲେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ: ଦିଲ୍ଲୀ ଅତିରିକ୍ତ ସିପି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରୁ ୨ ସନ୍ଦିଗ୍ଧ ଆତଦଙ୍କବାଦୀଙ୍କ ଗିରଫଦାରି ପରେ ଭଲସ୍ୱା ଅଞ୍ଚଳର ଡ୍ରେନରୁ ମିଳିଥିବା ଶବ ସମ୍ପର୍କରେ ଦିଲ୍ଲୀ ପୋଲିସ ଅନେକ ଖୁଲାସା କରିଛି । ଅତିରିକ୍ତ ସିପି ପ୍ରମୋଦ କୁଶବାହା ରବିବାର ସାମ୍ବାଦିକ ସମ୍ମିଳନୀ କରି ନୂଆ ନୂଆ ତଥ୍ୟର ଖୁଲାସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ସିପି କହିଛନ୍ତି, ଗିରଫ ହୋଇଥିବା ନୌଶାଦ ଏବଂ ଜଗଜିତ ଆଇଏସଆଇ ହ୍ୟାଣ୍ଡରଙ୍କ ସମ୍ପର୍କରେ ଥିଲେ, ସେଠାରୁ ଏମାନଙ୍କୁ ଅପରେଟ କରାଯାଉଥିଲା । ଅତିରିକ୍ତ ସିପି କହିଛନ୍ତି, ଗତ ଦିନରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଜହାଙ୍ଗୀରପୁରୀ ଅଞ୍ଚଳରେ ୨ ସନ୍ଦିଗ୍ଧ ଲୁଚି ରହିଥିବାର ସୂଚନା ମିଳିଥିଲା ।

ସେଠାରେ ରେଡ୍ କରାଯାଇ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ପୋଲିସ ୩ଟି ପିସ୍ତଲ ଏବଂ ୨୨ ବୁଲେଟ ଜବତ କରିଛି । ଏହାପରେ ସେମାନଙ୍କୁ ୟୁଏପିଏ ଆଧାରରେ ଗିରଫ କରାଯାଇଛି । ସେମାନଙ୍କ ଚିହ୍ନଟ ଜଗଜିତ ସିଂହ ଓରଫ ଜଗ୍ଗା (୨୯) ଏବଂ ନୌଶାଦ(୫୬)ଙ୍କ ରୂପରେ ହୋଇଛି । ଜଗଜିତ ଉତ୍ତରାଖଣ୍ଡର ହୋଇଥିବା ବେଳେ ନୌଶାଦ ଦିଲ୍ଲୀର ଜହାଙ୍ଗୀରପୁରୀର ବାସିନ୍ଦା ଅଟେ । ନୌଶାଦ ଏବଂ ଜଗଜୀତଙ୍କୁ ଯେଉଁ ଘରୁ ଧରାଯାଇଥିଲା ସେଠାରୁ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ୨ ହ୍ୟାଣ୍ଡ ଗ୍ରେନେଡ ଜବତ କରିଛଇ ଏବଂ ପୋଲିସକୁ ସେଠାରୁ ରକ୍ତ ଛିଟାର ଚିହ୍ନ ମଧ୍ୟ ମିଳିଛି ।

ପୋଲିସ ସନ୍ଦେହ କରିଥିଲା ଯେ ଏହି ଘରେ କାହାର ହତ୍ୟା କରାଯାଇଛି । ଅଭିଯୁକ୍ତଙ୍କ ବୟାନ ପରେ ଏହି ଘାର ପାଖ ଏକ ଡ୍ରେନରୁ ଖଣ୍ଡ ଖଣ୍ଡ ହୋଇ ଫୋପଡ଼ାଯାଇଥିବା ଏକ ଶବ ଜବତ କରାଯାଇଛି । ପୋଲିସ ଅଧିକାରୀ କହିଛନ୍ତି, ନୌଶାଦ ଏବଂ ଜଗଜୀତ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଏମାନେ ଏଠାରେ ଦକ୍ଷିଣ ପନ୍ଥି ନେତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ।

ସେମାନେ ନିଜର କାପାବିଲିଟି ଦେଖାଇବା ପାଇଁ ଗତ ଦିନରେ ଜହାଙ୍ଗୀରପୁରୀରେ ଜଣେ ବ୍ୟକ୍ତିଙ୍କ ହତ୍ୟା କରିଥିଲେ ଏବଂ ଏହାର ଭିଡିଓ ନିଜ ହ୍ୟାଣ୍ଡଲରଙ୍କୁ ପଠାଇଥିଲେ । ଏମାନେ ଆଗାମୀ ଏକ ମାସ ଭିତରେ ପଞ୍ଜାବରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଏମାନେ ଦିଲ୍ଲୀରେ ମଧ୍ୟ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ । ଅନେକ ବଡ଼ ନେତା ଏମାନଙ୍କ ଟାର୍ଗେଟରେ ଥିଲେ । ଏମାନଙ୍କ ପାଖରୁ ଯେଉଁ ହ୍ୟାଣ୍ଡ ଗ୍ରେନେଡ ମିଳିଛି, ତାହା ମିଲେଟ୍ରି ଗ୍ରେଡ ଅଟେ । ତେବେ ଏହି ଗ୍ରେନେଡ କେଉଁଠୁ ଆସିଛି ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।