ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ: ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ସହ ସମ୍ବନ୍ଧିତ କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏବେ ୫ ଜଜ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏହି ମାମଲା ଉପରେ ଦୀର୍ଘକାଳୀନ ଶୁଣାଣି ଜରୁରୀ ଅଟେ । ଯାହାଫଳରେ ସ୍ପଷ୍ଟ ହେବ ଯେ ସେବାଗୁଡ଼ିକୁ ଅଧ୍ୟାଦେଶ ଜରିଆରେ ଦିଲ୍ଲୀ ବିଧାନସଭା ସୀମାରୁ ବାହାର କରିବା ଠିକ୍ କି ଭୁଲ । ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି ଯେ ସଂସଦରେ ବିଲ୍ ପାରିତ ହେବା ପରେ ଅଧ୍ୟାଦେଶ ମାମଲା ଉପରେ ବିଚାର କରିବାର ଆବଶ୍ୟକତା ରହିବ ନାହିଁ ।

ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ । ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି  ସାମ୍ବିଧାନିକ ପୀଠରେ ଯଥାଶୀଘ୍ର ଶୁଣାଣି ନେଇ ଦାବି କରିଥିଲେ । ପ୍ରଧାନ ବିଚାରପତି କହିଥିଲେ ଆଦେଶ ସନ୍ଧ୍ୟା ସୁଦ୍ଧା ଅପଲୋଡ କରାଯିବ । ସେଥିରେ ଶୁଣାଣି ନେଇ ତାରିଖ ମଧ୍ୟ କୁହାଯିବ । ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ସମ୍ବନ୍ଧିତ ଏହି ଅଧ୍ୟାଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଯାହାର ଶୁଣାଣି ଆଜି ହୋଇଛି । ଏହି ଅଧ୍ୟାଦେଶ କେନ୍ଦ୍ର ସରକାର ମଇରେ ଜାରି କରିଥିଲେ ।