ବଦଳିଲା ପାଣିପାଗ, ଦିଲ୍ଲୀ ଏନସିଆର ଓ ହରିୟାଣାରେ କାଳବୈଶାଖୀର ତାଣ୍ଡବ

1 min read

ନୂଆଦିଲ୍ଲୀ: ଆଶ୍ୱସ୍ତ ଉତ୍ତର ଭାରତ । ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶରେ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଛି । ଭୀଷଣ ଖରାରେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ସିଝୁଥିବା ବେଳେ ଚଳିତବର୍ଷର ପ୍ରଥମ ବର୍ଷା ରାଜଧାନୀବାସୀଙ୍କୁ ଆଶ୍ୱସ୍ତ କରିଛି । କାଳବୈଶାଖୀ ପ୍ରଭାବରେ ଆସନ୍ତା ସପ୍ତାହେ ଧରି ଦିଲ୍ଲୀ, NCR, ୟୁପି, ରାଜସ୍ଥାନ, ହରିୟାଣା, ଜାମ୍ମୁ-କାଶ୍ମୀର ଆଦି ରାଜ୍ୟବାସୀ ଅସହ୍ୟ ତାତିରୁ ତ୍ରାହି ପାଇବେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୩୭ରୁ ୩୮ ଡିଗ୍ରୀ ରହିବ । ଆଜି ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ରେକର୍ଡ ହୋଇଛି । ଆଜି ଦିନସାରା ରାଜଧାନୀରେ ବର୍ଷାପାଗ ଜାରି ରହିବ । ବର୍ଷା ଯୋଗୁ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର କେତେକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ ଅନ୍ୟ କିଛି ବିମାନ ଅମୃତସର ଓ ଜୟପୁର ବିମାନବନ୍ଦରରେ ଲ୍ୟାଣ୍ଡ କରିଛି ।

ସେହିପରି ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିଭଳି ରାଜସ୍ଥାନ ଓ ଓଡ଼ିଶାରେ ବି ପାଗ କୋହଲିଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବରରୁ ଆଗକୁ ବଢୁଥିବା ବେଳେ ଆସନ୍ତା ୨୫ରୁ ୨୭ ତାରିଖ ସୁଦ୍ଧା ଏହା କେରଳ ଛୁଇଁବା ସମ୍ଭାବନା ରହିଛି ।