ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଆପ୍ ଛାଡ଼ିଲେ କୈଳାସ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀର ଆପ୍ ସରକାର ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଲାଗିଛି ବଡ଼ ଝଟକା । ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦଳ ଛାଡ଼ିଲେ କୈଳାସ ଗେହଲଟ । ନିଜର ଇସ୍ତଫା ପତ୍ର ସେ ଦଳ ମୁଖ୍ୟ ଅରିବନ୍ଦ କେଜ୍ରିଓ୍ବାଲଙ୍କ ପାଖକୁ ପଠାଇ ଦେଇଛନ୍ତି ।

କୈଳାସ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ଆପ୍ ବର୍ତ୍ତମାନ ଲୋକଙ୍କ ସେବା କରିବା ବଦଳରେ ନିଜ ରାଜନୈତିକ ଉଚ୍ଚ ଅଭିଳାଷ ଚରିତାର୍ଥ କରିବାରେ ଲାଗିଛି । ଯମୁନାକୁ ସଫା କରିବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ । କିନ୍ତୁ ଏବେ ତାହା ବହୁତ ପ୍ରଦୂଷିତ ହୋଇଛି । ସେହିପରି ଶିଷ ମହଲ ପରି ଅନେକ ପ୍ରସଙ୍ଗ ଆମକୁ ଲଜ୍ଜିତ କରିଛି । ଦଳ ଏବେ ବହୁତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ।

ଆଗକୁ ସେ ଉଲ୍ଲେଖ କରିଛନ୍ତି, ଆପ୍ ସରକାର କେବଳ କେନ୍ଦ୍ର ସରକାର ସହିତ ଲଢ଼େଇ କରୁଛି । ଲୋକଙ୍କର ସେବା ଉପରେ ଗୁରୁତ୍ଵ ଦେଉନାହିଁ । ମୁଁ ଦିଲ୍ଲୀବାସୀଙ୍କ ସେବା କରିବାକୁ ଚାହୁଁଛି । ତେଣୁ ଆପ୍ ଛାଡ଼ିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ ।

ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ କିଛି ସୂଚନା ଦେଇନାହାନ୍ତି କୈଳାସ । ଆସନ୍ତାବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାର ଅଛି । ତା’ପୂର୍ବରୁ ଆପ୍ ସରକାରରେ ଆରମ୍ଭ ହେଲାଣି ହଲଚଲ୍ । ଦିଲ୍ଲୀ ରାଜନୀତିରେ ଆଗକୁ ଆହୁରି ଅନେକ ଘଟଣା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।