ଆପ ନେତା ସତ୍ଯେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସତ୍ଯେନ୍ଦ୍ର ମନି ଲଣ୍ଡରିଂ ମାମଲାରେ ଦୀର୍ଘ ୧୮ ମାସ ଜେଲରେ ଥିଲେ । କୋର୍ଟ ମନୀଷ ସିସୋଦିଆ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସୂଚିତ କରିଛନ୍ତି ଓ ଶୀଘ୍ର ବିଚାର କରିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଗୁରୁତ୍ୱ ଦେଇଛନ୍ତି । ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ସତ୍ଯେନ୍ଦ୍ରଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଏହି ମାମଲା ସହିତ ଜଡିତ କୌଣସି ସାକ୍ଷୀ କିମ୍ଵା ବ୍ଯକ୍ତି ବିଶେଷଙ୍କ ସହ ଯୋଗାଯୋଗ କରିବା ଓ ପ୍ରଭାବିତ କରିବାକୁ ସତ୍ଯେନ୍ଦ୍ରଙ୍କୁ ବାରଣ କରାଯାଇଛି । କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାତ୍ରା କରିବାକୁ ବାରଣ କରାଯାଇଛି । ତାଙ୍କ ସହିତ ଜଡିତ ଥିବା ୪ଟି କମ୍ପାନୀ ମାଧ୍ୟମରେ ଟଙ୍କା ହେରଫେର ଅଭିଯୋଗରେ ସତ୍ଯେନ୍ଦ୍ରଙ୍କୁ ଗତ ୨୦୨୨ ମେ’ ୩୦ ତାରିଖରେ ଗିରଫ କରିଥିଲା ଇଡି । ସତ୍ଯେନ୍ଦ୍ର, ଜେଲରେ ବହୁ ସମୟ ଅତିବାହିତ କରିସାରିଥିବା ଦର୍ଶାଇଛନ୍ତି ଅଦାଲତ । ଶୀଘ୍ର ଶୁଣାଣି ଆରମ୍ଭ ହେବା ସମ୍ଭାବନା ନଥିବା ବେଳେ, ନିକଟ ଭବିଷ୍ଯତରେ ମାମଲା ଶେଷ ହେବାର ନାହିଁ ବୋଲି ଅଦାଲତ କହିଛନ୍ତି ।