ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ସହ ଚୁକ୍ତିନାମା ସ୍ୱାକ୍ଷରିତ, ଖର୍ଚ୍ଚ ହେବ ୬୨୫୫ କୋଟି

1 min read

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୌଡିବ ମେଟ୍ରୋ । ଏକ୍ଷେତ୍ରରେ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ସୋମବାର ଦିନ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ସହ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (ବିଏମଆରସି) ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏମଓୟୁ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡ଼ିବ । ଏମଓୟୁ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ରାଜ୍ୟ ସରକାର ମେଟ୍ରୋ ରେଳର ସ୍ୱପ୍ନ ପୂରଣ କରିବା ଲାଗି ଗତ ଉତ୍କଳ ଦିବସରେ ନିଜେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ । ନିକଟରେ ରାଜ୍ୟ କ୍ୟାବିନେଟ୍ ଏପ୍ରକଳ୍ପକୁ ମୋହର ମାରିବା ପରେ ଆଜି ଡିଏମଆରସି ସହ ଏମଓୟୁ ସ୍ୱାକ୍ଷର ହୋଇଛି।

୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୬୨୫୫ ଟଙ୍କା ଖର୍ଚ୍ଚ ହେବ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପରିବହନ ଇତିହାସରେ ମେଟ୍ରୋ ରେଳ ଯୋଡିବ ସ୍ୱର୍ଣ୍ଣିମ ଫର୍ଦ୍ଦ। ନୂଆ ଓଡ଼ିଶାର ସଂକଳ୍ପକୁ ପୂରଣ କରିବାରେ ଏହି ପ୍ରକଳ୍ପ ଅନେକାଂଶରେ ସହାୟକ ହେବ । ରାଜ୍ୟ ସରକାର ଏବାବଦରେ ଯେତିକି ଟଙ୍କା ନିବେଶ କରିବେ ତାହା ହେଉଛି ଓଡ଼ିଶା ଭିତ୍ତିଭୂମତି ପ୍ରକଳ୍ପ ନିବେଶରେ ସର୍ବକାଳୀନ ରେକର୍ଡ । ନବୀନ ଆହୁରି କହିଛନ୍ତି, ମୁଁ ଖୁସି ମୋ ସରକାର ୨୦୧୯ରେ ଯେଉଁ ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଥିଲା ତାକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଛି।

ଡିଏମଆରସି ତତ୍ୱାବଧାନରେ ଏହି ପ୍ରକଳ୍ପ କାମ ଧାର୍ଯ୍ୟ ସମୟରେ ସରିବ  ଏବଂ ଏହା ବିଶ୍ୱସ୍ତରୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏହି ପ୍ରକଳ୍ପ ରାଜ୍ୟର ବିକାଶ ଓ ଅର୍ଥନୀତିକୁ ଆଗକୁ ନେବ । ଡିଏମଆରସିର ଏମଡି ବିକାଶ କୁମାର କହିଛନ୍ତି ଯେ ଓଡ଼ିଶାର ବିକାଶକୁ ଆଗକୁ ନେବାରେ ଏହା ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ସମେତ ମୋଟ୍‌‌ ୨୦ଟି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା ରହିଛି। ଅତ୍ୟାଧୁନିକ କୋଚ୍ ସିଗନାଲ୍ ଓ ଟିକେଟ୍ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।