ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନକୁ ନେଇ ଦିଲ୍ଲୀ ଏମସିଡି ଗୃହରେ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲ ପାର୍ଟ ଟୁ । ଗତକାଲି ହାଇଭୋଲଟେଜ ମେୟର ନିର୍ବାଚନ ସରିବା ପରେ ସରିଲାନି ହାଇଡ୍ରାମା । ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନକୁ ନେଇ ଦିଲ୍ଲୀ ଏମସିଡି ଗୃହରେ ଆପ୍ ଓ ବିଜେପି ସଦସ୍ୟଙ୍କ ମଧ୍ୟରେ ହାତାହାତି । ବୋତଲ ଓ ଚପଲ ଫିଙ୍ଗା ଘଟଣାରେ କମ୍ପିଛି ଗୃହ ।

ରାତି ତମାମ ହାଇଡ୍ରାମା ପରେ ପୁଣି ଆଜି ଆରମ୍ଭ ହୋଇଥିଲା ଭୋଟିଂ । ମାତ୍ର ଗୃହରେ ଉତ୍ତେଜନା ବୃଦ୍ଧି ଯୋଗୁ ନିର୍ବାଚନକୁ ଆସନ୍ତାକାଲି ଯାଏ ସ୍ଥଗିତ ରଖାଯାଇଛି । ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଥିବାରୁ ବିଜେପି ସଦସ୍ୟ ଗୁଣ୍ଡାଗର୍ଦ୍ଦି କରୁଥିବା ଆପ୍ କହିଛି ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ବହୁ ଆପ ନେତା ଅଭିଯୋଗ କରିଛନ୍ତି ବିଜେପି କାଉନସିଲରମାନେ ବାଲଟ ବକ୍ସ ନେଇଯିବା ଲାଗି ଉଦ୍ୟମ କରିଛନ୍ତି । ଗତକାଲି ହୋଇଥିବା ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ଶେଲୀ ଓବରୟ ୩୪ଟି ଭୋଟରେ ଓ ଡେପୁଟୀ ମେୟର ପ୍ରାର୍ଥୀ ଆସଲେ ମହମ୍ମଦ ଇକବଲ ୩୧ଟି ଭୋଟରେ ବିଜୟୀ ହୋଇଥିଲେ ।