ଆଜି ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ

ନୂଆଦିଲ୍ଲୀ : ଆଜି ନିର୍ବାଚିତ ହୋଇପାରନ୍ତି ଦିଲ୍ଲୀ ମେୟର ଓ ଡେପୁଟୀ ମେୟର । ଗତ ଜାନୁଆରୀ ୬ ତାରିଖରେ ଦିଲ୍ଲୀ ପୌର ସଦନର ବୈଠକରେ ହଙ୍ଗାମା ହୋଇଥିବାରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଆପ୍ ଓ ବିଜେପି ମଧ୍ୟରେ କନ୍ଦଳ ବଢିବାରୁ ନିର୍ବାଚନ ହୋଇପାରି ନଥିଲା ।

ଗତ ଡିସେମ୍ବର ୪ ତାରିଖରେ ମହାନଗର ନିଗମ ଭୋଟ ଅନୁଷ୍ଠିତ ହୋଇଥିବାବେଳେ ୭ ତାରିଖରେ ହୋଇଥିଲା ଗଣତି । ୨୫୦ ଆସନ ବିଶିଷ୍ଟ ନିଗମରେ ଆପ୍ ୧୩୪ଟି ଆସନ ହାସଲ କରିଥିବାବେଳେ ବିଜେପି ୧୦୪ଟି ଆସନ ପାଇଥିଲା । କଂଗ୍ରେସ ୯ଟିରେ ସନ୍ତୁଷ୍ଟ ହୋଇଥିଲା । ମେୟର ଲାଗି ଆପର ପ୍ରାର୍ଥୀ ଶେଲୀ ଓବରୟ ଥିବାବେଳେ ବିଜେପିର ପ୍ରାର୍ଥୀ ଅଛନ୍ତି ରେଖା ଗୁପ୍ତା ।

ଗତବର୍ଷ କେନ୍ଦ୍ର ସରକାର ଏକ ଆଇନ ଆଣି ଉତ୍ତରଦିଲ୍ଲୀର ୧୦୪ ଓ୍ବାର୍ଡ, ଦକ୍ଷିଣ ଦିଲ୍ଲୀର ୧୦୪ ଓ୍ବାର୍ଡ ଓ ପୂର୍ବ ଦିଲ୍ଲୀର ୬୪ ଓ୍ବାର୍ଡକୁ ମିଶ୍ରଣ କରି ମୋଟ ଓ୍ବାର୍ଡ ସଂଖ୍ୟା ୨୫୦ ରଖିଥିଲେ । ମନୋନୀତ ସଦସ୍ୟକୁ ପ୍ରଥମେ ଶପଥ ପାଠ କରାଇବା ଜିଦରେ ଅଟଳ ରହିଥିଲା ବିଜେପି । ସେପଟେ ନିର୍ବାଚିତ ସଦସ୍ୟଙ୍କୁ ପ୍ରଥମେ ଶପଥ ପାଠ କରାଇବା ଦାବିରେ ଆପ୍ ଅଟଳ ଥିଲା । ଏହାକୁ ନେଇ ଦିଲ୍ଲୀରେ ହାଇଡ୍ରାମା ହେବାରୁ ମେୟର ନିର୍ବାଚନ ବାତିଲ ହୋଇଥିଲା ।