ରାଜଧାନୀ ଦିଲ୍ଲୀରେ ପୁଣି ଅମାନବୀୟ କାଣ୍ଡ, ରାଜରାସ୍ତାରେ ମହିଳାଙ୍କୁ କାରରେ ଜବରଦସ୍ତ ଉଠାଇନେଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅମାନବିକ ଘଟଣା । ଖୋଦ୍ ରାଜରାସ୍ତାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଜୋର ଜବରଦସ୍ତ କାରରେ ପୂରାଇବାର ଭିଡିଓ ପଦାକୁ ଆସିଛି । ମହିଳାଙ୍କ ଅସମ୍ମତି ସତ୍ତ୍ବେ ପୁରୁଷଜଣକ ତାଙ୍କୁ ବଳପୂର୍ବକ କାରରେ ପୂରାଇଛନ୍ତି । ତାଙ୍କୁ କାରରେ ଜବରଦସ୍ତ ବସାଇବା ପରେ କାରଟି ଚାଲିଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଥାଇ ଘଟଣାକୁ ସମର୍ଥନ କରୁଥିବା ଦେଖାଯାଇଛି ।

ଦିଲ୍ଲୀ ମଙ୍ଗଳପୁରୀ ଫ୍ଲାଏଓଭର ନିକଟରେ ଏହି ଘଟଣା ଘଟିଛି । ଭିଡିଓର ସତ୍ୟତା ନେଇ ପୋଲିସ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ସେପଟେ ମହାରାଷ୍ଟ୍ର ନାଗପୁରରେ ବି ଘଟିଛି ସମଧରଣର ଘଟଣା । କାର୍ ସାଇଡକୁ ନେଇ ମହିଳାଙ୍କ ସହ ଜଣେ ବ୍ୟକ୍ତିଙ୍କ ବଚସା ହେବା ପରେ ସେ ମହିଳାଙ୍କୁ ମାଡ଼ ମାରିଥିଲେ । ମହିଳାଙ୍କ ଅଭିଯୋଗ ପରେ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।