Delhi Lockdown Extension: ଦିଲ୍ଲୀରେ ଚତୁର୍ଥ ଥର ପାଇଁ ବଢିଲା ଲକଡାଉନ୍,୨୪ ମେ ପର୍ଯ୍ୟନ୍ତ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଲକଡାଉନ୍ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲାଗୁଥିବା ଲକଡାଉନକୁ ୨୪ ମେ’ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସରେ ଦିଲ୍ଲୀର ଲକଡାଉନ୍ ଘୋଷଣା ହୋଇଥିଲା । ଯାହାକୁ କେଜ୍ରିୱାଲ ସରକାର ବାରମ୍ବାର ବଢାଇ ଚାଲିଛନ୍ତି ।

ପ୍ରଥମ ଲକଡାଉନ ଘୋଷଣା ପରଠାରୁ ଏହା ଭିତରେ ଦିଲ୍ଲୀରେ ସଂକ୍ରମଣ ହାରରେ ୨୪ ପ୍ରତିଶତ ହ୍ରାସ ହୋଇଛି । ତେବେ ସରକାର ଏବେ କୌଣସି ରିହାତି ଦେବା ମୁଡରେ ନାହାନ୍ତି । ଗତ ୩ ସପ୍ତାହ ଧରି ଯେଉଁ କଟକଣା ଲାଗୁଥିଲା ତାହା ଆଗକୁ ମଧ୍ୟ ଜାରି ରହିବ । ଗତ ସପ୍ତାହରୁ ଦିଲ୍ଲୀରେ ମେଟ୍ରୋ ସେବା ଉପରେ କଟକଣା ଲାଗୁ ହୋଇଥିଲା । ସେହିଭଳି ଦିଲ୍ଲୀରେ ବିବାହ ସମାରୋହ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହୋଇଛି ।

ମେଟ୍ରୋ ଚାଲୁନି, ପବ୍ଲିକରେ ବିବାହ ବନ୍ଦ

ଗତ ସପ୍ତାହରେ ଜାରି ନିର୍ଦ୍ଦେଶ ଅନୁସାରେ ଲକଡାଉନ୍ କାଳରେ ମେଟ୍ରୋ ଚଳାଚଳ ବନ୍ଦ ରହିଛି । ଏହା ସହିତ ସାର୍ବଜନିନ ସ୍ଥାନରେ ବିବାହ ଭଳି ସମାରୋହ ଆୟୋଜନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି । ନିୟମ ଅନୁସାରେ କୌଣସି ହୋଟେଲ,କମ୍ୟୁନିଟି ହଲ,ମଣ୍ଡପ କିମ୍ବା ଅନ୍ୟ ସାର୍ବଜନୀନ ସ୍ଥାନରେ ବିବାହ ହୋଇ ପାରିବ ନାହିଁ । ବିବାହ କେବଳ ଘରେ କିମ୍ବା କୋର୍ଟରେ ହୋଇ ପାରିବ ବୋଲି ସରକାର ଆଦେଶ ଦେଇଛନ୍ତି । ଏହା ସହିତ ବିବାହରେ ୨୦ ଜଣରୁ ଅଧିକ ସାମିଲ ହୋଇ ପାରିବେ ନାହିଁ ।

ଅନ୍ୟପକ୍ଷରେ ଦିଲ୍ଲୀ ଲକଡାଉନର ସକରାତ୍ମକ ଦିଗ ସାମ୍ନାକୁ ଆସିବାରେ ଲାଗିଛି । ଧିରେ ଧିରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଶନିବାର ବୁଲେଟିନ୍ ଅନୁସାରେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟର ୬ ହଜାର ୫ଶହ ନୂଆ ମାମଲା ସାମ୍ନାକୁ ଆସିଛି । ୭ ଏପ୍ରିଲ ପରେ ଏହା ହେଉଛି ସବୁଠାରୁ କମ । ଗତ ଦୁଇ ସପ୍ତାହ ଧରି କ୍ରମାଗତ ଭାବେ ପଜିଟିଭ୍ ମାମଲା ଓ ପଜିଟିଭ୍ ହାର ହ୍ରାସ ପାଉଛି ।

Leave a Reply