୬ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି

1 min read

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ଶନିବାର ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ଦିଲ୍ଲୀର ଅବକାରୀ ଦୁର୍ନୀତି ସହ ସମ୍ବନ୍ଧିତ ଏକ ମାମଲାରେ ଗିରଫ ହୋଇଥିବା ମନିଷ ସିସୋଦିଆ ଗତକାଲି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ମନିଷ ସିସୋଦିଆଙ୍କ ସିବିଆଇ ରିମାଣ୍ଡକୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ପରବର୍ତ୍ତି ଶୁଣାଣି ହେବ । ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ କହିଥିଲା ଯେ ମନିଷ ସିସୋଦିଆ ତଦନ୍ତରେ ସହଯୋଗ କରୁନାହାନ୍ତି ।

ସିବିଆଇ ସିସୋଦିଆଙ୍କ ଆଉ ତିନିଦିନ କଷ୍ଟଡି ମାଗିଥିଲା । ହେଲେ କୋର୍ଟ କେବଳ ଦୁଇଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି । କୋର୍ଟ ପଚାରିଥିଲେ ଯେ ମନିଷ ସିସୋଦିଆଙ୍କୁ କେତେ ଘଣ୍ଟା ଜେରା କରିଥିଲ । ଏହାର ଜବାବରେ ସିବିଆଇ କହିଥିଲା ଯେ ଏପର୍ଯ୍ୟନ୍ତ ସୁଦ୍ଧା କିଛି ଅଧିକାରୀଙ୍କ ସହ ହିଁ ମନିଷଙ୍କ ଆମ୍ନା ସାମ୍ନାରେ ପଚରା ଉଚରା କରାଯାଇଛି । ଏବେ ସିବିଆଇ ଭିନ୍ନ ଭିନ୍ନ ସାକ୍ଷୀଙ୍କ ସହ ତାଙ୍କର ସାମନା କରାଇବା ନେଇ ପ୍ରସ୍ତୁତି କରୁଛି । ଏବେ ଆହୁରି ପଚରା ଉଚରା କରିବା ବାକି ଅଛି । ସିବିଆଇ କୋର୍ଟଙ୍କୁ କହିଛି ଯେ, ପ୍ରତିଦିନ ରାତି ୮ଟାରେ ତାଙ୍କୁ ପଚରାଉଚରା କରାଯାଇଥାଏ । ଗୋଟିଏ ଦିନ ତ ସୁପ୍ରିମକୋର୍ଟରେ ହିଁ ଚାଲି ଯାଇଥିଲା ।

ସେହିପରି ସିସୋଦିଆଙ୍କ ଓକିଲ ଦଲିଲ ଦେଇ କହିଥିଲେ ଯେ ସହଯୋଗ ନକରିବା ବେଲ ନଦେବାର କୌଣସି ଆଧାର ନୁହେଁ । ସିସୋଦିଆଙ୍କ ଓକିଲ ସିବିଆଇ ହେପାଜତ ବଢ଼ାଇବାର ଆବେଦନକୁ ବିରୋଧ କରିଥିଲେ । ସେ କହିଥିଲେ ସିସୋଦିଆଙ୍କ ଘରେ ଏବଂ ଅଫିସରେ ରେଡ୍ କରାଯାଇଥିଲା । ହେଲେ କିଛି ମିଳିନଥିଲା । ତେଣୁ ତାଙ୍କୁ ପୋଲିସ କଷ୍ଟଡିରେ ରଖାଯାଉ, ଯାହା ବି ଦସ୍ତାବିଜ ମାଗିବେ ତାହା ଆମେ ଦାଖଲ କରିବୁ ।  ପ୍ରକାଶଥାଉକି, ସିବିଆଇର ଦାବି ମୁତାବିକ ସେ ଯାଞ୍ଚରେ ପାଇଛି ଯେ ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର ନିର୍ମାଣ ଏବଂ କାର୍ଯ୍ୟାନ୍ୱୟନ ଉଭୟରେ କଥିତ ଭାବେ ଅନିୟମିତତା ଥିଲା ।

ଏହାର ଉଦ୍ଦେଶ୍ୟ ଥିଲା ଯେ ଏଏପି ସହିତ ସମ୍ବନ୍ଧିତ ଲୋକଙ୍କୁ ଲାଭ ପହଞ୍ଚାଇବା । ହେଲେ ଆମ ଆଦମୀ ପାର୍ଟି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି । ପରେ ଦିଲ୍ଲୀର ନୂଆ ଅବକାରୀ ନୀତିକୁ ସମାପ୍ତ କରାଯାଇଥିଲା । ସୂଚନାଥାଉକି ଦିଲ୍ଲୀ ମଦ ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ କରିଥିଲା ଗିରଫ । ୫୧ ବର୍ଷ ବୟସ୍କ ସିସୋଦିଆଙ୍କୁ ଗତ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଥିଲା ସିବିଆଇ । ଗିରଫର ଦିନକ ପରେ ସିବିଆଇର ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସିସୋଦିଆ । ତେବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଲାଗି ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଗତ ସୋମବାର ଠାରୁ ସିବିଆଇ ମନୀଷଙ୍କୁ ରିମାଣ୍ଡ ନେଇଥିବା ବେଳେ ଆଜି ତାଙ୍କ ରିମାଣ୍ଡ ଶେଷ ହେଉଥିଲା । ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ । ସେପଟେ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀରେ ଜନ ଜାଗରଣ ଆରମ୍ଭ କରିବ ଆମ୍ ଆଦମୀ ପାର୍ଟି । ଆସନ୍ତା ୧୦ ମାର୍ଚ୍ଚରୁ ଏହି ଅଭିଯାନ ଆରମ୍ଭ ହେବ ।