ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ, ଅବକାରୀ କମିଶନରଙ୍କ ସମେତ ୧୧ ଅଧିକାରୀ ନିଲମ୍ବିତ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ବିକେ ସକ୍ସେନାଙ୍କ ମଧ୍ୟରେ ବାଦ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍ସେନା ନୂଆ ଅବକାରୀ ନୀତିକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭିଜିଲାନ୍ସ ରିପୋର୍ଟ ଆସିବା ପରେ ସେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭିଜିଲାନ୍ସ ରିପୋର୍ଟରେ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ଆସିଥିଲା । ଦୁର୍ନୀତି ଅଭିଯୋଗରେ ଅବକାରୀ କମିଶନର ଆରବ ଗୋପି କୃଷ୍ଣା, ତତ୍କାଳୀନ ଅବକାରୀ କମିଶନର ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଅବକାରୀ ନୀତି ବନାଇବାରେ ଭୁଲ ଓ ଅବହେଳା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଉପରାଜ୍ୟପାଳ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଏବଂ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଭିଜିଲାନ୍ସକୁ ମଞ୍ଜୁରି ଦେଇଛନ୍ତି । ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆ ପ୍ରଥମ ଥର ସ୍ୱୀକାର କରିଥିଲେ ଯେ ଦିଲ୍ଲୀ ସରକାରଙ୍କୁ ନୂଆ ଅବକାରୀ ନୀତି ୨୦୨୧-୨୨ ଅନୁସାରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଏଥିପାଇଁ ସେ ପୂର୍ବତନ ଉପରାଜ୍ୟପାଳଙ୍କ ଉପରେ ଆରୋପ ଲଗାଇଥିଲେ । ସିସୋଦିଆ କହିଥିଲେ, ଅନାଧିକୃତ ଅଞ୍ଚଳରେ ମଦ ଦୋକାନ ଖୋଲିବା ଉପରେ ନିଜ ଆଭିମୁଖ୍ୟ ଶେଷ ମୂହୁର୍ତ୍ତରେ ସେ ବଦଳାଇଥିଲେ । ଏତିସହିତ କହିଥିଲେ ଦିଲ୍ଲୀରେ ନୂଆ ଅବକାରୀ ପଲିସିକୁ ଅଟକାଇ ସରକାରଙ୍କୁ କ୍ଷତି ପହଞ୍ଚାଯାଇଛି । ମନିଷ ସିସୋଦିଆ ପ୍ରଶ୍ନ କରି କହିଛନ୍ତି, ଏଲଜି ଏହି ନିଷ୍ପତ୍ତି କାହା ଇସାରାରେ ନେଇଛନ୍ତି । ଏହି ମାମଲାର ବିବରଣ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)କୁ ପଠାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।