ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଗୁରୁତର ଅଭିଯୋଗ। ବିଜେପିରେ ମିଶିବା ଲାଗି ନେତାଙ୍କୁ ବାଧ୍ୟ କରାଯାଉଛି। ବିଭିନ୍ନ ଧମକଚମକ ଦିଆଯାଉଛି। ରାଜଧାନୀରେ ଆଇନଶୃଙ୍ଖଳା ସ୍ଥିତି ବିଗିଡିଯାଇଛି ବୋଲି ସେ କହିଛନ୍ତି। ସେପଟେ ପଞ୍ଜାବ ଅମୃତସରରେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା। ଏହାକୁ ନେଇ ବଢ଼ିଲା ରାଜନୀତି। ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ଆପକୁ ଦାୟୀ କରି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ। କଂଗ୍ରେସ ନେତା ଉଦିତ ରାଜଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି। ପୂର୍ବରୁ ଅମୃତସରର ଟାଉନ ହଲ ଇଲାକାରେ ଥିବା ଏହି ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ତାଲିଥିଲା ଶିରୋମଣି ଅକାଳୀ ଦଳ ବାଦଲ ଗୋଷ୍ଠୀ। ଦଳର ନେତା ରଞ୍ଜିତ ସିଂ ଖୁରାନା ଓ ଅନ୍ୟତମ ନେତା ରାଜିନ୍ଦର ସିଂ ଚଣ୍ଡୀ ପଞ୍ଜାବ ସରକାରଙ୍କୁ ଏହି ଘଟଣାରେ ଦାୟୀ କରିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ଅବସ୍ଥାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଥିଲା ଶିରୋମଣି ଅକାଳୀ ଦଳ। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ମୂଳରେ ଷଡ଼ଯନ୍ତ୍ର ନିହିତ ରହିଛି ବୋଲି ବିଭିନ୍ନ ମହଲ ଅଭିଯୋଗ କରୁଛନ୍ତି। ସେପଟେ ଦିଲ୍ଲୀରେ ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଛନ୍ତି ଆପ୍ ସୁପ୍ରିମୋ କେଜ୍ରିୱାଲ।

