ଅଞ୍ଜଳି ଗାଡ଼ି ଚକରେ ଫସିଥିବା ଜାଣି ବି ଗାଡ଼ି ଅଟକାଇ ନଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ଜାଣି ଜାଣି ଅଞ୍ଜଳିଙ୍କ ଜୀବନ ନେଇଗଲେ ଅଭିଯୁକ୍ତ । ସେମାନଙ୍କୁ ଜଣାଥିଲା ଦୁର୍ଘଟଣା ପରେ ଅଞ୍ଜଳି ଗାଡିରେ ଫସି ଯାଇଥିବା । ହେଲେ ମଦ ନିଶାରେ ଚୁର ଅଭିଯୁକ୍ତମାନେ ନା ଗାଡି ଅଟକାଇଥିଲେ, ନା ଅଞ୍ଜଳିଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ପୋଲିସ ଆଗରେ ସ୍ବୀକାର କରିଛନ୍ତି ଗିରଫ ଅଭିଯୁକ୍ତମାନେ ।

ପୋଲିସକୁ ସେମାନେ କହିଛନ୍ତି, ଦୁର୍ଘଟଣା ପରେ ଅଞ୍ଜଳି କାର ତଳେ ଫସି ସେମାନେ ଜାଣିଥିଲେ । ହେଲେ ଭୟରେ ଗାଡ଼ି ନଅଟକାଇ ଚଳାଇଥିଲେ । କଞ୍ଝାବାଲା ପର୍ଯ୍ୟନ୍ତ କାର ବାରମ୍ବାର ୟୁଟର୍ଣ୍ଣ ନେଇଥିଲା । ଗାଡ଼ି ତଳୁ ଅଞ୍ଜଳିଙ୍କୁ କାଢ଼ିଲେ ହତ୍ୟା ମାମଲାରେ ଫସିବା ଭୟ ଥିଲା । ତେଣୁ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ କାଢି ନଥିଲେ ।

ପୂର୍ବରୁ କାରରେ ହାଇ ଭଲ୍ୟୁମରେ ମ୍ୟୁଜିକ୍ ଚାଲିଥିବାରୁ କିଛି ଜାଣିପାରିନଥିବା ଅଭିଯୁକ୍ତମାନେ କହିଥିଲେ । ଏବେ କାରରେ କୌଣସି ମ୍ୟୁଜିକ ଚାଲି ନଥିବା ପୋଲିସକୁ କହିଛନ୍ତି । ସେପଟେ ଅଞ୍ଜଳିଙ୍କ ସାଙ୍ଗ ନିଧି ୨୦୨୦ରେ ଏକ ଡ୍ରଗ୍ସ ମାମଲାରେ ଧରା ପଡ଼ିଥିଲେ। ଏପରିକି ତାଙ୍କ ନାଁରେ ଟ୍ରାଫିକ୍ ଚାଲାଣ ବି ବାକିଆ ଥିବା ଜଣାପଡିଛି ।