ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର

1 min read

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ । ପ୍ରଥମରେ ଆମେରିକାର ଆଟଲାଣ୍ଟା ଏୟାରପୋର୍ଟ ରହିଥିବା ବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି । ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଅବତରଣରେ ରେକର୍ଡ କରିଛି ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟ । ଗ୍ଲୋବାଲ ଟ୍ରାଭାଲ ଡାଟା ପ୍ରୋଭାଇଡର ଅଫିସିଆଲ ଏୟାରଲାଇନ ଗାଇଡ୍ ବା OAG ଏହି ରିପୋର୍ଟ ଦେଇଛି । ଗତ ମାସରେ ଦୁବାଇ ଦ୍ବିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିଲା । ତେବେ ଏଥର ଦୁବାଇ ତୃତୀୟ ସ୍ଥାନକୁ ଖସିଛି ।

ମାର୍ଚ୍ଚ ୨୦୧୯ରେ ଦିଲ୍ଲୀ ଏୟାରପୋର୍ଟ ୨୩ ତମ ସ୍ଥାନରେ ରହିଥିଲା । କରୋନା ମହାମାରୀ ସତ୍ତ୍ୱେ ଦିଲ୍ଲୀ ଏୟାରପୋର୍ଟ ବିରାଟ ଉପଲବ୍ଧି ହାସଲ କରିଛି । OAG ସର୍ଭେ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ଯାତୟାତ ଓ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ସୁଧାର ଆସିଛି । ମାର୍ଚ୍ଚରେ ଆମେରିକାର ଆଟଲାଣ୍ଟ ବିମାନବନ୍ଦର ଦେଇ ୪୪ ଲକ୍ଷରୁ ଅଧିକ ଲୋକ ଯିବା ଆସିବା କରିଥିବା ବେଳେ ଦିଲ୍ଲୀ ବିମାନବନ୍ଦର ଦେଇ ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତ୍ରା କରିଛନ୍ତି । ସେହିପରି UAEର ଦୁବାଇ ବିମାନବନ୍ଦର ଦେଇ ୩୫ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଥିବା ରିପୋର୍ଟ ଦେଇଛି । କରୋନା ଯୋଗୁ ଦୁଇ ବର୍ଷ ଧରି ଟ୍ରାଭେଲ ଓ ଟୁରିଜିମ ସେକ୍ଟର ବାଧାପ୍ରାପ୍ତ ହୋଇଥିଲା । ତେବେ ବିମାନ ଯାତ୍ରା ଉପରୁ କଟକଣା ହ୍ରାସ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବଢିଛି ବୋଲି ଦିଲ୍ଲୀ ବିମାନବନ୍ଦର ସିଇଓ ବିଦେହ କୁମାର ଜଇପୁରିଆର କହିଛନ୍ତି ।