ଶାହନବାଜ୍ ହୁସେନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ହାଇକୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଡ଼ୁଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନବାଜ୍ ହୁସେନ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହିତ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଶାହନାଓ୍ୱାଜ୍ ହୁସେନ୍ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ସୂଚନା ଅନୁସାରେ ୨୦୧୮ରେ ଦିଲ୍ଲୀର ଜଣେ ମହିଳା ହୁସେନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୋଲିସଠାରୁ ନିରାଶ ହେବା ପରେ ତଳ କୋର୍ଟରେ ପିଟିସନ୍ ଫାଇଲ କରିଥିଲେ । ଏହି ପିଟିସନରେ ହୁସେନ ତାଙ୍କୁ ଦୁଷ୍କର୍ମ କରିଥିବା ଦର୍ଶାଇଥିଲେ । ଏହା ସହ ହତ୍ୟା ଧମକ ଦେଇଥିବା ମଧ୍ୟ ପିଟିସନରେ ଦର୍ଶାଇଥିଲେ ଉକ୍ତ ମହିଳା । ଏହା ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ଏହି ମାମଲାରେ ହୁସେନଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।