ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ, ଦିଲ୍ଲୀ ସରକାରଙ୍କ ବିରୋଧରେ ସ୍ୱତନ୍ତ୍ର ଆଇନ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୁଣି ଚାଲିଲା ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର ବିବାଦ । ଟ୍ରାନ୍ସଫର ଓ ନିଯୁକ୍ତି କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିକଟରେ ହିଁ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାର କିଛି ଦିନ ପରେ ଏହା ବିରୋଧରେ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ନିଯୁକ୍ତି ଓ ବଦଳି କ୍ଷେତ୍ରରେ ଲେଫନାଣ୍ଟ ଗଭର୍ଣ୍ଣର ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସମ୍ପର୍କିତ ଏକ ସ୍ବତନ୍ତ୍ର ଆଇନ ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ବଳରେ ଗଠନ କରିଛନ୍ତି ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି । ଏହାର ସଦସ୍ୟ ରହିବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ଗୃହ ବିଭାଗ ସଚିବ । କୌଣସି ପ୍ରସ୍ତାବ ଉପରେ ଅଥରିଟି ବିଚାର କରିବ ଏବଂ ସଂଖ୍ୟା ଗରିଷ୍ଠ ଭୋଟ ଅନୁସାରେ ପ୍ରସ୍ତାବ କାର୍ଯ୍ୟକାରୀ ହେବ । ଯଦି ମତ ପାର୍ଥକ୍ୟ ଘଟେ ତେବେ ଏଲଜିଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ । ପାର୍ଲାମେଣ୍ଟର ଉଭୟ ଗୃହରେ ଏହି ଅଧ୍ୟାଦେଶ ଗୃହିତ ହେବାର ଆବଶ୍ୟକତା ରହିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ପରେ ସର୍ଭିସ ସେକ୍ରେଟାରୀ ଆଶିଷ ମୋରେଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବଦଳି କରିଥିବାବେଳେ ଏ ସଂକ୍ରାନ୍ତ ଫାଇଲ ପଡିରହିଥିବାରୁ କ୍ଷୁବ୍ଧ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ତେଣେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛି ଆମ୍ ଆଦମୀ ପାର୍ଟି । ସୁପ୍ରିମକୋର୍ଟଙ୍କ ରାୟକୁ ଏହା ବିରୁଦ୍ଧାଚରଣ କରୁଛି ବୋଲି ସେ କହିଛନ୍ତି । ଆପ୍ ମୁଖପାତ୍ର ତଥା ସେବା ବିଭାଗ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ଦିଲ୍ଲୀବାସୀଙ୍କୁ ଧୋକା ଦେଇଛନ୍ତି କେନ୍ଦ୍ର ସରକାର । ସର୍ଭିସ ସେକ୍ରେଟାରୀଙ୍କୁ ବଦଳା ଗଲେ ହିଁ ଅଧିକ ପ୍ରାଶାସନିକ ପରିବର୍ତ୍ତନ ସମ୍ଭବ ବୋଲି ଯୁକ୍ତି ଦର୍ଶାଇ ଗତକାଲି ଏଲଜି ଭି.କେ. ସକ୍ସେନାଙ୍କୁ ଭେଟିଥିଲେ କେଜ୍ରିଓ୍ବାଲ । ସେପଟେ ବଦଳି ଓ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବା ଲାଗି ଅଦାଲତ ନିକଟରେ ପିଟିସନ ଦାୟର କରିଛନ୍ତି କେନ୍ଦ୍ର ସରକାର ।