ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଦିଲ୍ଲୀ ସରକାର, ହଟିଲେ ସେବା ବିଭାଗ ସଚିବ ଆଶିଷ ମୋରେ

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ହଟାଇଛନ୍ତି ଦିଲ୍ଲୀ ସରକାର । ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଏ.କେ. ସିଂ । ଆଗକୁ ଅଧିକ ସଂଖ୍ୟକ ବ୍ୟୁରୋକ୍ରାଟଙ୍କୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦିଆଯାଇଥିବା ବିଶେଷ ଅଧିକାର ହଟାଇଥିଲେ ସୁପ୍ରିମକୋର୍ଟ । ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର ।

ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ । ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଥିଲେ ।