ଆଜିଠୁ ଦିଲ୍ଲୀ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ

1 min read

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ଦିଲ୍ଲୀ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ । ମୁଖ୍ଯମନ୍ତ୍ରୀ ପଦରୁ ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ସହ ନୂଆ ମୁଖ୍ଯମନ୍ତ୍ରୀ ଭାବେ ଆତିଶୀ ଦାୟିତ୍ବ ଗ୍ରହଣ କରିବା ପରେ ଏହି ଅଧିବେଶନ ବସୁଛି। ସେପଟେ ନୂଆ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ଲାଗି ସମସ୍ଯା ହୋଇପାରେ ଅଧିବେଶନ। ମୁଖ୍ଯମନ୍ତ୍ରୀ ହେବା ପରେ ପ୍ରଥମ ଅଧିବେଶନରେ ଆତିଶୀଙ୍କୁ ଘେରିପାରନ୍ତି ବିରୋଧୀ । ଦିଲ୍ଲୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ଅଧିବେଶନ କାଳ ଦୁଇ ଦିନ ବଦଳରେ ଅଧିକ ଦିନ କରିବା ଲାଗି ଦାବି କରିପାରେ ବିଜେପି ।

ବିଧାନସଭାରେ ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା କହିଛନ୍ତି- ଦୁଇ ଦିନିଆ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ଦିଲ୍ଲୀରେ ବସ୍ତି, ଜଳବନ୍ଦୀ ଓ ଜଳାଭାବ ସମସ୍ୟା ସମ୍ପର୍କରେ ବିରୋଧୀ ଦଳ ଗୃହରେ ପ୍ରସଙ୍ଗ ଉଠାଇବେ ବୋଲି ସୂଚନା ମିଳିଛି । ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ପେନସନ ଆଦି ପ୍ରସଙ୍ଗରେ ବି ହୋଇପାରେ ଆଲୋଚନା । ଦିଲ୍ଲୀରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ଆତିଶୀ ସରକାର ବିରୋଧରେ ଗୃହରେ ହୋଇପାରେ ବିଶୃଙ୍ଖଳା । କିଛି ଦିନ ତଳେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ସରକାରଙ୍କୁ ଅସୁବିଧାରେ ପକାଇପାରନ୍ତି ବିରୋଧୀ । ଗତ ଏପ୍ରିଲ ୮ରେ ଶେଷ ଥର ଲାଗି ଦିଲ୍ଲୀ ବିଧାନସଭା ଅଧିବେଶନ ବସିଥିଲା । ସମ୍ବିଧାନ ଅନୁସାରେ ୬ ମାସ ମଧ୍ଯରେ ଅଧିବେଶନ ବସିବ ।