ଅଣନିଶ୍ୱାସୀ ଦିଲ୍ଲୀ; ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ; ଓ୍ୱାର୍କ ଫ୍ରମ ହୋମ କରିବେ ସରକାରୀ କର୍ମଚାରୀ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଯାହଫଳରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି । ସ୍ଥିତି ଏପରି ହୋଇଛି କି ଘରେ ମଧ୍ୟ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି । ଦିଲ୍ଲୀର ଏହି ସାଂଘାତିକ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଦିଲ୍ଲୀରେ ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆସନ୍ତା ସୋମବାରୁଠାରୁ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି ସରକାରୀ କର୍ମଚାରୀ ବି ଓ୍ବାର୍କ ଫ୍ରମ ହୋମ କାର୍ଯ୍ୟ କରିବେ । ଏଥିସହ ଆସନ୍ତା ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ଜଡିତ ସବୁ ଗତିବିଧିକୁ ବି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଆଜି ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସବୁ ନିଷ୍ପତି ନେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ସ୍କୁଲ ଏକ ସପ୍ତାହ ପାଇଁ ଛୁଟିକୁ ନେଇ କେଜ୍ରିଓ୍ବାଲ କହିଥିଲେ କି ପ୍ରଦୂଷିତ ବାୟୁରୁ ଛୋଟ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ତେବେ ଗୋଟିଏ ସପ୍ତାହ ଛୁଟି ମଧ୍ୟରେ ଅନଲାଇନ କ୍ଲାସ ଜାରି ରହିବ । ଆଜି ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପରିବେଶ ମନ୍ତ୍ରୀ ଗୋପାଳ ରାୟ, ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜେନ ଓ ଦିଲ୍ଲୀର ମୁଖ୍ୟ ସଚିବ ମଧ୍ୟ ସାମିଲ ଥିଲେ ।

ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି IIT କାନପୁର ସହ ମିଶି ଏକ ଚୁକ୍ତି ସ୍ବାକ୍ଷର କରିଛି । ଚୁକ୍ତି ଅନୁସାରେ ଆଇଆଇଟି କାନପୁର ଦିଲ୍ଲୀ ପ୍ରଦୂଷଣର କାରଣ ଓ ଏହାର ସମାଧାନ କିପରି ହେବ ତାହା ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିକୁ ପରାମର୍ଶ ଦେବ । ତେବେ ଏହି ଚୁକ୍ତି ସ୍ବାକ୍ଷର ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଦିଲ୍ଲୀ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ସରକାର ଟେକ୍ନୋଲୋଜି ଭିତ୍ତିକ ସମାଧାନର ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ।

Leave a Reply