spot_img

Latest Posts

ବିଜୁଙ୍କ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ୍‌ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ୍‌ କ୍ଲବ୍‌

ନୂଆଦିଲ୍ଲୀ: ବିଜୁ ବାବୁଙ୍କର ବ୍ୟକ୍ତିତ୍ୱର ସବୁଠାରୁ ବଳିଷ୍ଠ ଦିଗ ହେଉଛି ତାଙ୍କ ସାହସିକତା । ସେ ରାଜନୀତି ହେଉ ବା ବିମାନ ଚାଳନା, ସବୁ କ୍ଷେତ୍ରରେ ତାଙ୍କର ଅସୀମ ସାହସ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥାଏ । ଜଣେ ଦୁର୍ଦ୍ଦଶ ପାଇଲଟ ଭାବରେ ବିଜୁ ବାବୁ ଦେଶ ବିଦେଶରେ ସୁପରିଚିତ । ଇଣ୍ଡୋନେସିଆର ସ୍ୱାଧିନତା ସଂଗ୍ରାମ ହେଉ ବା ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟଙ୍କ ଆକ୍ରମଣ । ସବୁ କ୍ଷେତ୍ରରେ ସେ ତାଙ୍କର ଅସାମାନ୍ୟ ଦକ୍ଷତା ଓ ଅସୀମ ସାହସର ପରିଚୟ ଦେଇଯାଇଛନ୍ତି ।

ଦିଲ୍ଲୀ ଫ୍ଲାଇଙ୍ଗ୍‌ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ୍‌ କ୍ଲବ୍‌ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ (Legendary Indian Pilots Day) ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ଡଃ ବି.ବି.ଏଲ୍‌ ମଧୁକର ବିଜୁ ଜୟନ୍ତୀ ସମାରୋହ ଅବସରରେ ଏହା କହିଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ସମାରୋହ ପାଇଁ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦିଲ୍ଲୀ ଫ୍ଲାଇଙ୍ଗ୍‌ କ୍ଲବ୍‌ରେ ବିଜୁ ବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହାସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା କରୁଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁଁ ବିଜୁ ବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ୍‌ କ୍ଲବରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା । ଇଗଲ୍‌ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା । ଆଉ ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ୍‌ କ୍ଲବ୍‌ । ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । କେବଳ ଭାରତ ନୁହେଁ, ଇଣ୍ଡୋନେସିଆ ଓ ରୁଷିଆର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ୍‌ ଅଲ୍ଲୀଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିଶ୍‌ କର୍ତ୍ତୃପକ୍ଷଙ୍କ ନଜରରୁ ବଞ୍ଚାଇଥିଲେ । ଏଥିପାଇଁ ସେ ବ୍ରିଟିଶ୍‌ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଜେଲ୍‌ ମଧ୍ୟ ଯାଇଥିଲେ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ୱବିଦିତ । ଏହାସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ରୁଷିଆର ରେଡ୍‌ ଆର୍ମିକୁ ମଧ୍ୟ ସହାୟତା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପାଇଲଟ ଭାବରେ ବିଜୁ ବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବର ଭୂମିକାକୁ ସବୁ ସମୟରେ ମନେ ରଖିବେ । ଜଣେ ଦକ୍ଷ ପାଇଲଟ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ଡଃ. ବି.ବି.ଏଲ ମଧୁକରଙ୍କୁ ଧନ୍ୟବାଦ ।

ବିଜୁ ବାବୁ ଆମ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ରହିବେ । ସେ ଆମକୁ ଯେ କୌଣସି ପରିସ୍ଥିତି ହେଉ ପଛେ, ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ପ୍ରେରଣା ଦେଉଥିଲେ । ତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏବଂ କଳିଙ୍ଗର ଗୌରବକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Latest Posts

Don't Miss