ଦିଲ୍ଲୀ ରେଜଲ୍ଟ କାଉଣ୍ଟଡାଉନ: ବଢ଼ୁଛି ଆପ, ବିଜେପି ଓ କଂଗ୍ରେସର ଉତ୍କଣ୍ଠା, ଏଥର କିଏ ମାରିବ ବାଜି
1 min read![](https://nandighoshatv.com/wp-content/uploads/2025/02/DELHI_ELECTION_RESULT_PKG-1024x576.jpg)
ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀ ରେଜଲ୍ଟ। ସାରା ଦେଶର ଆଖି ଫଳାଫଳ ଉପରେ। କ୍ଷମତାରେ ରହିବ ଆପ୍ ନା ୨୭ ବର୍ଷ ପରେ ଫେରିବ ବିଜେପି, ନା କଂଗ୍ରେସ କରିବ ସରକାର। ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ ନା ହେବ ସତ- ତାହାକୁ ନେଇ ସସପେନ୍ସ। ୭୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ୩୬ । ମୋଟ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିସାରିଛନ୍ତି ପ୍ରାୟ ଦେଢ କୋଟି ଭୋଟର। ୨୦୧୩, ୨୦୧୫ ଓ ୨୦୨୦ ପରେ ପୁଣି ଚଳିତ ଥର କ୍ଷମତାକୁ ଆସିବାକୁ ଚ ରହିଛି ଆଶାବାଦୀ। ତେବେ ଦିଲ୍ଲୀ ମଦନୀତି ମାମଲା, ଯମୁନା ଜଳ ବିବାଦ, ମଧ୍ୟବିତ୍ତଙ୍କ ସ୍ବାର୍ଥ, ଇଣ୍ଡିମେଣ୍ଟରେ ଫାଟ, ବାଂଲାଦେଶୀ ଭୋଟ ଆଦି କାରଣ ହିଁ ନିର୍ଦ୍ଧାରଣ କରିବ କିଏ ହେବ ବିଜୟୀ।
ସେପଟେ ଫଳାଫଳ ବାହାରିବା ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା। ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ବିଜେପି କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ପରେ ତଦନ୍ତ ଲାଗି ଦୁର୍ନୀତି ନିବାରଣ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି ଏଲଜି ଭି.କେ. ସକ୍ସେନା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ ଜାରି ସହ ପ୍ରମାଣ ଦାଖଲ କରିବାକୁ ଦିଆଯାଇଛି ନୋଟିସ। ଏସିବିର ଏକ ଟିମ କେଜରିୱାଲଙ୍କ ବାସଭବନରେ ଛାନଭିନ କରିଛନ୍ତି। ଆପର ୭ ପ୍ରାର୍ଥୀଙ୍କୁ ୧୫ କୋଟି ଲେଖାଏ ଟଙ୍କାରେ କିଣିବାକୁ ବିଜେପି ଥୋପ ପକାଉଥିବା ନେଇ କେଜରିୱାଲ ଓ ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିବା ପରେ ଦିଲ୍ଲୀ ରାଜନୀତିରେ ଫୁଟିଥିଲା ବୋମା। ଏପରିକି ଏହି ପ୍ରାର୍ଥୀମାନଙ୍କ ନିକଟକୁ ଫୋନ କଲ୍ ଆସିଥିବା ବିଷୟ କହିଥିଲେ ସଞ୍ଜୟ। ଅପରେସନ ଲୋଟସ ଅଭିଯୋଗକୁ ନେଇ ବଢିଛି ରାଜନାତି। ଦିଲ୍ଲୀରେ ଝୁଲା ବିଧାନସଭା ହେଲେ ଅପରେସନ ଲୋଟସକୁ ମିଳିପାରେ ସଫଳତା। ଆପ୍ ସଂଖ୍ୟାଗରିଷ୍ଠତା ପାଇଲେ କେଜରିୱାଲ ହେବେ ସୁପରହିରୋ। ଗତ ନିର୍ବାଚନରେ ଆପ ୬୨ ଆସନ ପାଇଥିବାବେଳେ ବିଜେପି ପାଇଥିଲା ୮ ଆସନ।