ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିନ। ମୋଟ ୯୮୧ ଆଶାୟୀ ୧୫୨୧ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ୪୭୭ ନାମାଙ୍କନ ପତ୍ରକୁ ଖାରଜ କରିଦିଆଯାଇଛି।  ନୂଆଦିଲ୍ଲୀ ବିଧାନସବା ଆସନରୁ ସର୍ବାଧିକ ୨୯ ଜଣ ପ୍ରାର୍ଥୀ ଅଛନ୍ତି। ୨୯ ପ୍ରାର୍ଥୀ ମୋଟ ୪୦ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବିଜେପିରୁ ପରବେଶ ବର୍ମା ଓ କଂଗ୍ରେସରୁ ସନ୍ଦୀପ ଦୀକ୍ଷିତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଠାରେ ହାଇ ପ୍ରୋଫାଇଲ ଲଢେଇ ହେବ। ସେପଟେ ସବୁଠାରୁ କମ କସ୍ତୁରବା ନାଗର ଆସନରେ ମାତ୍ର ୬ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆପରୁ ରମେଶ ପହଲବାନ, ବିଜେପିରୁ ନିରଜ ବସୌୟା ଏବଂ କଂଗ୍ରେସରୁ ଅଭିଶେଷ ଦତ୍ତ ନାମାଙ୍କନ ଦାଖଲ କରିଛନ୍ତି। କାଲକାଜି ଆସନରୁ ୧୮ ପ୍ରାର୍ଥୀ ୨୮ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ, ବିଜେପିରୁ ରମେଶ ବିଧୁଡି ଏବଂ କଂଗ୍ରେସରୁ ଅଲକା ଲାମ୍ବା ନାମାଙ୍କନ ଦାଖଲ କରିଛନ୍ତି। ଏଠାରୁ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦିଲ୍ଲୀରେ ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ମୋଟ୍ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନରେ ଫେବୃଆରୀ ୫ରେ ହେବ ଭୋଟ୍ ଗ୍ରହଣ। ୧ କୋଟି ୫୫ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୨ ଲକ୍ଷ ନୂଆ ଭୋଟର ଏଥର ନିର୍ବାଚନରେ ସାମିଲ ହୋଇଛନ୍ତି। ୧୩ ହଜାରରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୨୦୨୦ରେ ଆପ୍ ୬୨ଟି ଆସନ ଜିତି ସରକାର ଗଠନ କରିଥିଲା। ୨୦୧୫ ଓ ୨୦୨୦ରେ କଂଗ୍ରେସ ଗୋଟିଏ ବି ଆସନ ଜିତିନଥିଲା।