ସିବିଆଇ କାର୍ଯ୍ୟାଳୟରେ ମନୀଷ ସିସୋଦିଆ, ମଦ ଦୁର୍ନୀତି ମାମଲାରେ ହେବ ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଲୋଦି ରୋଡସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ନିଜ କ୍ବାର୍ଟର୍ସରୁ ସିସୋଦିଆ ସିବିଆଇ କାର୍ଯ୍ୟାଳୟ ଅଭିମୁଖେ ବାହାରିବା ବେଳେ, ଶହ ଶହ ଆପ୍ କର୍ମୀ ପ୍ଲାକାର୍ଡ ଦେଖାଇ ସିବିଆଇ ବିରୋଧରେ ନାରାବାଜି କରିଥିଲେ ।

ପ୍ରଥମେ ସିସୋଦିଆ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସିସୋଦିଆ କହିଛନ୍ତି, ‘ସିବିଆଇ ଯାଞ୍ଚ ପ୍ରକ୍ରିୟାରେ ସେ ପୂର୍ଣ୍ଣ ସହଯୋଗ କରିବେ । ତାଙ୍କ ପ୍ରତି ଦେଶବାସୀ ଓ ଲକ୍ଷ ଲକ୍ଷ ଶିଶୁଙ୍କ ଶ୍ରଦ୍ଧା ରହିଛି । ଦେଶ ଲାଗି ସହିଦ ହୋଇଥିବା ଭଗତ ସିଂଙ୍କ ସେ ଅନୁଗାମୀ ।’

ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ‘ମନୀଷଙ୍କ ସହ ଭଗବାନ ଅଛନ୍ତି । ଲକ୍ଷ ଲକ୍ଷ ଶିଶୁ ଓ ସେମାନଙ୍କ ପିତାମାତାଙ୍କ ଆଶୀର୍ବାଦ ରହିଛି । ଏହା ଏକ ଅଭିଶାପ ନୁହେଁ ବରଂ ଏକ ଶୌର୍ଯ୍ୟର ପ୍ରତୀକ ।’

ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି ସିସୋଦିଆଙ୍କ ବିରୋଧରେ ସିବିଆଇକୁ ଲଗାଇବା ଲାଗି ଲେଫଟନାଣ୍ଟ ଜେନେରାଲ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ ପଛରେ କେନ୍ଦ୍ରର ହାତ ଥିଲା । ଗତ ୧୯ ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ । ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି । ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।