ଦିଲ୍ଲୀରେ ବେକାବୁ କରୋନା, ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆବର୍ଷ ପରଠାରୁ ସଂକ୍ରମଣ ବୃଦ୍ଧି ପାଉଛି । ଖାସ୍ କରି ମୁମ୍ବାଇ ଓ ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଯଦି ଦିଲ୍ଲୀ କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ହଜାର ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଦିଲ୍ଲୀରେ ଚିନ୍ତା ବଢ଼ିଛି । ଏହା ସହିତ ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୪.୫୯ ପ୍ରତିଶତରେ ପହଞ୍ଚି ଯାଇଛି । ଏଥି ସହ ଦିଲ୍ଲୀରେ ଏବେ ସକ୍ରିୟ ମାମଲା ୮ ହଜାର ୩୯୭ରେ ପହଞ୍ଚିଛି ।

ଜାନୁଆରୀ ୨ରେ ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ହଜାର ୧୯୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯାହା ବିଗତ ୭ ମାସରେ ସର୍ବାଧିକ । ଏହା ପୂର୍ବରୁ ମେ’ ୨୦ରେ କରୋନାର ୩ ହଜାର ୨୩୧ କେସ୍ ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୨୪୮ ଜଣ କରୋନା ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାର ଅର୍ଥ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଲକ୍ଷଣ ସ୍ୱଳ୍ପ ରହିଛି । ଯାହା ଫଳରେ ସେମାନଙ୍କୁ ହସ୍ପିଟାଲ ଆସିବାକୁ ପଡ଼ୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୯୭.୬୯ ପ୍ରତିଶତ ଅଟେ । ଏହି ଆରୋଗ୍ୟ ହାରକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି କି କରୋନାକୁ ନେଇ ଭୟଭୀତ ଓ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ତାଜା ସୂଚନା ଅନୁସାରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଜଣେ ମାତ୍ର କୋଭିଡ ପଜିଟିଭଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ୨୫ ହଜାର ୧୦୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଡେଥ ରେଟ୍ ୧.୭୩ ପ୍ରତିଶତ ରହିଛି ।

 

Leave a Reply