ଦିଲ୍ଲୀରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୩୬୬ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ କରୋନା ଗ୍ରାଫ୍ । ଦିଲ୍ଲୀରେ ପ୍ରତିଦିନ ବଢ଼ିଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୬ ନୂଆ ସଂକ୍ରମିତ । ପଜିଟିଭିଟି ହାର ୩.୯୫କୁ ବୃଦ୍ଧି ପାଇଛି । ଗତ ଫେବ୍ରୁଆରୀ ୩ ତାରିଖଠାରୁ ଏହି ସଂଖ୍ୟା ସର୍ବାଧିକ । ଗୁରୁବାର ଦିଲ୍ଲୀରେ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ ପଜିଟିଭିଟି ହାର ଥିଲା ୨.୩୯ । ତେବେ କରୋନା ସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ସାରା ଦେଶରେ ୧୮ରୁ ଅଧିକ ବୟସର ଲୋକଙ୍କୁ ଘରୋଇ କେନ୍ଦ୍ରରେ ଟିକା ଦେବା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀରେ ଏହି ପ୍ରକ୍ରିୟା ଜୋରସୋର ଚାଲିଛି । ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ଦେଶରେ XE ଭାରିଆଣ୍ଟର ଆଧିପତ୍ୟ ବଢ଼ୁଛି କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ବର୍ତ୍ତମାନ ଯେଉଁମାନେ ନୂଆ ସଂକ୍ରମିତ ହେଉଛନ୍ତି ସେମାନେ XE ଦ୍ବାରା ଆକ୍ରାନ୍ତ ହେଉଛନ୍ତି କି ନାହିଁ ତାହାର ବି ସୂଚନା ମିଳିନାହିଁ ବୋଲି କହିଛନ୍ତି ବାୟୋମେଡିକାଲ ବୈଜ୍ଞାନିକ ଡାକ୍ତର ଗଙ୍ଗଦୀପ କାଙ୍ଗ । XE ଭାରିଆଣ୍ଟ ଓମିକ୍ରନର ଏକ ଉପଭାରିଆଣ୍ଟ ଏବଂ ଏହା ଉପର ନିଶ୍ବାସ ପ୍ରଶ୍ବାସ ନଳୀରେ ବିଶେଷତଃ ରହିଥାଏ । ତେଣୁ ଜ୍ବର, ହାଲିଆ ଲାଗିବା ଆଦି ପରିଲକ୍ଷିତ ହୋଇଥାଏ । ତେବେ ଏହା ରୋଗୀକୁ ଗୁରୁତର କରି ନଥାଏ ବୋଲି କହିଛନ୍ତି ଡାକ୍ତର କାଙ୍ଗ । ଏହା ସହ ୧୨ ବର୍ଷରୁ କମ୍ ବୟସର ଦୁର୍ବଳ ପିଲାଙ୍କୁ ତୁରନ୍ତ ଟିକା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।