ଦିଲ୍ଲୀ ପାଇଁ ଖୁସି ଖବର ! ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ, ଖୋଲିବ କାରଖାନା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଦେଶର ରାଜଧାନୀରେ କରୋନା ମାମଲା ହ୍ରାସ ପାଉଥିବାରୁ ଲକଡାଉନ୍ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅନେକ ପ୍ରଚେଷ୍ଟା ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇଛି, ତଥାପି କରୋନା ବିରୋଧରେ ଯୁଦ୍ଧ ସରିନାହିଁ । ସେ କହିଛନ୍ତି ଯେ ସମାଜର ଗରିବ ଶ୍ରେଣୀର ଲୋକ, ଶ୍ରମିକ, ପ୍ରବାସୀ ଭାରତୀୟଙ୍କ ଯତ୍ନ ନେବା ପାଇଁ ଆମେ ଦିଲ୍ଲୀରେ ଧୀରେ ଧୀରେ ଲକଡାଉନକୁ ଖୋଲିବାକୁ ଯାଉଛୁ । ଏବଂ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି ଯେ, ସୋମବାର ଠାରୁ ଆସନ୍ତା ଏକ ସପ୍ତାହ ପାଇଁ ନିର୍ମାଣ କର୍ଯ୍ୟ ଏବଂ କାରଖାନା ଗୁଡ଼ିକୁ ଖୋଲାଯିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ଜନସାଧାରଣଙ୍କ ଠାରୁ ମତାମତ ଏବଂ ଏକ୍ସପର୍ଟଙ୍କ ପରାମର୍ଶ ନେବା ପରେ ଆମେ ଲକଡାଉନ ଉଠାଇବାର ପ୍ରକ୍ରିୟା ଜାରି ରଖିବୁ ।  ଯଦି କରୋନା ଭାଇରାସ ବୃଦ୍ଧି ପାଉଥିବାର ସାମ୍ନାକୁ ଆସେ ତେବେ ରାଜ୍ୟରେ ପୁଣି ଲକଡାଉନ ଲାଗୁ କରିବାକୁ ପଡ଼ିବ । ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, କରୋନା ସହିତ ଜଡିତ ସବୁ ପ୍ରକାର ସତର୍କତାକୁ ପାଳନ କରିବା ଏ ସମୟରେ ନିହାତି ଆବଶ୍ୟକ । ଯେତେବେଳେ ଆମେ ନିୟମ ପାଳନ କରିବୁ ସେତେବେଳେ ଦିଲ୍ଲୀର ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଖୋଲିବାରେ ସକ୍ଷମ ହୋଇପାରିବୁ । ଯଦି କରୋନା ସଂକ୍ରମଣ ପୁଣି ବଢିବା ଆରମ୍ଭ ହୁଏ, ତେବେ ଆମକୁ ପୁଣି ଲକଡାଉନ ଲାଗୁ କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯଦି ଆବଶ୍ୟକ ନହୁଏ ତେବେ ଘରୁ ବାହାରକୁ ଯାଆନ୍ତୁ ନାହିଁ, ଆମ ସମସ୍ତଙ୍କୁ ବହୁତ ଗମ୍ଭୀରତାର ସହ ଆଚରଣ କରିବାକୁ ପଡିବ, ଯାହାଫଳରେ ଆମେ ସମସ୍ତେ କରୋନ କବଳରୁ ଦିଲ୍ଲୀକୁ ବଞ୍ଚାଇବା ସହ ଦେଶର ରକ୍ଷା କରିପାରିବା । କରୋନାକୁ ଆଦୌ ଅଣଦେଖା କରନ୍ତୁ ନାହିଁ, ଯଦି ଆବଶ୍ୟକ ନହୁଏ ତେବେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।

କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତିରେ ବ୍ୟବସାୟୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ କହିଛନ୍ତି ଯେ, ଦିଲ୍ଲୀରେ କରୋନା ସଂକ୍ରମଣ କିଭଳି ଅଧିକ ନ ବୃଦ୍ଧି ପାଉ ତାହା କେବଳ ସରକାରଙ୍କ ନୁହେଁ ବରଂ ବ୍ୟବସାୟୀମାନଙ୍କର ମଧ୍ୟ ପ୍ରାଥମିକତା । ଏହି ଦୁଇଟି କ୍ଷେତ୍ରକୁ ଖୋଲି ବଜାର ନ ଖୋଲିବାରେ କୌଣସି ଯଥାର୍ଥତା ବୁଝା ପଡ଼ୁନାହିଁ ।

Leave a Reply