ଦିଲ୍ଲୀ : ଦିଲ୍ଲୀ ପୁରୁଣା ରାଜେନ୍ଦ୍ର ନଗର ରାଓ ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶି ୩ ସିଭିଲ ସର୍ଭାଣ୍ଟ ଆଶାୟୀଙ୍କ ମୃତ୍ଯୁ ଘଟଣା। ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି। ଗତ ଜୁଲାଇ ୨୭ରେ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ୩ ଆଶାୟୀଙ୍କ ମୃତ୍ଯୁ ଘଟିଥିଲା। ଏନେଇ ଅନ୍ତରୀଣ ରିପୋର୍ଟ ଦାଖଲ ଲାଗି ସେପ୍ଟେମ୍ବର ୨୦ରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ଏପରିକି କୋଚିଂ ସେଣ୍ଟରକୁ ଡେଥ ଚାମ୍ବର ସହ ତୁଳନା କରିଥିଲେ ସୁପ୍ରିମକୋର୍ଟ। ଏହାସହ ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ମଧ୍ଯ ଏନେଇ ନୀତି ଓ ବିଧେୟକ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ରାଓ ଆଇଏଏସ କୋଚିଂ ଇନଷ୍ଟିଚ୍ଯୁଟର ମାଲିକ ଅଭିଷେକ ଗୁପ୍ତା ଓ କୋଅର୍ଡିନେଟର ଦେଶପାଲ ସିଂ ଗିରଫ ହୋଇଥିଲେ। ବେସମେଣ୍ଟରେ ଥିବା ଲାଇବ୍ରେରୀରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ସମୟରେ ହଠାତ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀ ମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୦ ଫୁଟରୁ ଅଧିକ ଉଚ୍ଚର ପାଣି ଛୁଇଁ ସାରିଥିଲା। ଘଟଣାରେ ତାନିଆ ସୋନି, ଶ୍ରେୟା ଯାଦବ ନବୀନ ଦେଲଭିନଙ୍କ ମୃତ୍ଯୁ ଘଟିଥିଲା। ଗତ ଅଗଷ୍ଟ ୨ରେ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

