ଆଜି EDରେ ହାଜର ହେବେନି କେଜ୍ରିଓ୍ବାଲ

1 min read

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି । ତେବେ ସେ ବିଭିନ୍ନ କାରଣରୁ ଆଜି ହାଜର ହୋଇପାରିବେ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିବା ପରେ ତାଙ୍କୁ ଅନ୍ୟ କୌଣସି ତାରିଖ ଲାଗି ନୋଟିସ ଦିଆଯିବା ସମ୍ଭାବନା ରହିଛି ।

ବର୍ତ୍ତମାନ ନିର୍ବାଚନ ପ୍ରଚାର ଲାଗି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କେଜ୍ରିଓ୍ବାଲ । ଏହି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି କେଜ୍ରିଓ୍ବାଲ । ନିଜ ପତ୍ରରେ କେଜ୍ରିଓ୍ବାଲ ଦର୍ଶାଇଛନ୍ତି ତୁରନ୍ତ ଏହି ନୋଟିସକୁ ପ୍ରତ୍ୟାହାର କରାଯାଉ । ଆଜି ଇଡିରେ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ମୁତୟନ ହୋଇଥିଲା ।

ଅନ୍ୟପଟେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ଇଡିର ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ପଟେଲ ନଗର ବିଧାୟକ ତଥା ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ଆନନ୍ଦଙ୍କ ଘରେ ଇଡି ଚଢାଉ କରିଛି । ଦିଲ୍ଲୀ ମଦନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଆନନ୍ଦଙ୍କ ନାମରେ ବି ମାମଲା ଦାୟର କରିଥିଲା ଇଡି ।

ଆନନ୍ଦଙ୍କ ଘରେ ଇଡି ରେଡକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ । ସୌରଭ କହିଛନ୍ତି- ଆନନ୍ଦଙ୍କ ଏକମାତ୍ର ଭୁଲ୍ ଏହା ଯେ ସେ ଆପର ବିଧାୟକ । ବ୍ରିଟିଶ ଶାସନ କାଳରୁ କାହାରି ଘରେ ସର୍ଚ୍ଚ କରାଯିବା ପୂର୍ବରୁ କୋର୍ଟଙ୍କ ସର୍ଚ୍ଚ ଓ୍ବାରଣ୍ଟ ଆବଶ୍ୟକ ହେଉଥିଲା । ମାତ୍ର ବର୍ତ୍ତମାନ ଇଡି ତାହା କରୁନାହିଁ ବୋଲି ସେ କହୁଛନ୍ତି ।