ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ !

ନୂଆଦିଲ୍ଲୀ: ଆଜି ଇଡିରେ ହାଜର ହେବେ ନା ପୁଣି ବାହାନା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି।

ଚତୁର୍ଥ ଥର ଲାଗି କେଜ୍ରିଓ୍ବାଲଙ୍କୁ ଜାରି ହୋଇଛି ସମନ । ଗତ ଜାନୁଆରୀ ୩ରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି ହୋଇଥିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ । ଜାରି ହୋଇଥିବା ସମନ ବେଆଇନ ବୋଲି ଦର୍ଶାଇଥିଲେ କେଜ୍ରିଓ୍ବାଲ । ପୂର୍ବରୁ ତାଙ୍କୁ ନଭେମ୍ବର ୨, ଡିସେମ୍ବର ୨୧ରେ ମଧ୍ୟ ନୋଟିସ ଜାରି ହୋଇଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ କେଜ୍ରିଓ୍ବାଲ ଅଭିଯୁକ୍ତ ହୋଇ ନଥିଲେ ବି ତାଙ୍କୁ ବାରମ୍ବାର ନୋଟିସ ଜାରି କରାଯାଉଛି ।

ଜେରା ପରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ନେଇ ବାରମ୍ବାର ଆଶଙ୍କା ପ୍ରକାଶ ପାଇଆସୁଛି । ପୂର୍ବରୁ ମଦ ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ରେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ସେହିପରି ଗତବର୍ଷ ଅକ୍ଟୋବର ୪ରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି ।